ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଲା ମାନେ ପାର୍ଟନରଙ୍କ ସହ ଲିଭ୍ ଇନ ରିଲେସନସିପ୍ ରେ ରହିଲେ ପିତାମାତା ସେଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଏପରିକି ପାର୍ଟନରର ଅଲଗା ଧର୍ମର ହୋଇଥିଲେ ବି ପିତାମାତା ପିଲାକୁ ବାଧା ବେବେନି । ଏହା ସହିତ ଲିଭ୍ ଇନ ରିଲେସନରେ ରହୁଥିବା ଅଲଗା ଅଲଗା ଧର୍ମର ଯୋଡିଙ୍କୁ ଯଦି କୌଣସି ସୂତ୍ରରୁ ଧମକ ମିଳେ ତେବେ ପୋଲିସ ଏ କ୍ଷେତ୍ରରେ ସେମାନଙ୍କୁ ସୁରକ୍ଷା ଯୋଗାଇଦେବ | ଏନେଇ ଆହ୍ଲାବାଦ ହାଇକୋର୍ଟ ଏକ ଚର୍ଚ୍ଚିତ ରାୟ ଶୁଣାଇଛନ୍ତି । ଏହି ସଂପର୍କିତ ମାମଲା ଉପରେ ଶୁଣାଣୀ କରୁଥିବା ବିଚାରପତି ସୁରେନ୍ଦ୍ର ସିଂଙ୍କ ପୀଠ କହିଛନ୍ତି – ମାମଲାର ତଥ୍ୟ ଓ ପରିସ୍ଥିତି ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ଆଇନକୁ ଧ୍ୟାନରେ ରଖି କୋର୍ଟର ରାୟ ହେଉଛି ଯାଚିକା କର୍ତ୍ତା ଏକ ସଙ୍ଗେ ରହିବାର ଅଧିକାର ରହିଛି ଓ ସେମାନଙ୍କ ମାତାପିତା କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସେମାନଙ୍କ ଶାନ୍ତିପୂର୍ଣ୍ଣ ଲିଭ ଇନ ରିଲେସନରେ ହସ୍ତକ୍ଷେପ କରିପାରିବେ ନାହିଁ । ଯଦି ଯାଚିକାକର୍ତ୍ତାଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ କେହି ହସ୍ତକ୍ଷେପ କରିବ ତେବେ ସେ କୋର୍ଟର ଏହି ଆଦେଶର ଏକ ପ୍ରତିଲିପି ସହିତ ସମ୍ବନ୍ଧିତ ପୋଲିସ ଅଧୀକ୍ଷକଙ୍କ ନିକଟରେ ଏ ବିଷୟରେ ଅଭିଯୋଗ କରିପାରିବେ ଓ ପୋଲିସ ଏ କ୍ଷେତ୍ରରେ ତାଙ୍କୁ ତତ୍କାଳ ସୁରକ୍ଷା ଯୋଗାଇ ଦେବାକୁ ବାଧ୍ୟ ହେବେ । ଏହି ମାମଲାରେ ଜଣେ ସାବାଳିକା ଯାଚିକାକର୍ତ୍ତା ଏହି ଆଧାରରେ ସୁରକ୍ଷା ଲାଗି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ତାଙ୍କ ମା’ଙ୍କ ସହିତ ତାଙ୍କର ଅନ୍ୟ ସଂପର୍କୀୟମାନେ ପାର୍ଟନର ସହିତ ତାଙ୍କ ସଂପର୍କକୁ ବିରୋଧ କରୁଛନ୍ତି ଓ ତାଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଜୀବନ ଜୀଇଁବାକୁ ଦେଉନାହାନ୍ତି । ଯାଚିକାକର୍ତ୍ତାଙ୍କ ମା’ ତାଙ୍କୁ ଧମକ ଦେଇଥିବାରୁ ସେ ଅନରକିଲିଂର ଆଶଙ୍କା କରି ଭୟଭୀତ ହୋଇପଡିଛନ୍ତି ବୋଲି ଅଭିଯୋଗ କରିଥିଲେ ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……