ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ | ଏଥିଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀମଣ୍ଡଳ ସମିତି ଶୁକ୍ରବାର ସୁପାରିସ କରିଛନ୍ତି। ଏଥିରେ କୁହାଯାଇଛି, ସପ୍ତଦଶ ଲୋକସଭାର ଷଷ୍ଠ ଅଧିବେଶନ ଆଗାମୀ ୧୯ରୁ ଆରମ୍ଭ ହେବ । ଅନୁରୂପ ଭାବେ ରାଜ୍ୟସଭା ଅଧିବେଶନ ମଧ୍ୟ ଜୁଲାଇ ୧୯ରୁ ଆରମ୍ଭ ହେବାନେଇ ରାଜ୍ୟସଭା ପକ୍ଷରୁ କୁହାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଅଧିବେଶନ ୧୯ରୁ ଡକାଇଛନ୍ତି ଏବଂ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ଉପରେ ଥିବା କ୍ୟାବିନେଟ କମିଟି (ସିସିପିଏ) ଗତ ମାସରେ ଏହି ତାରିଖରେ ସଂସଦର ଅଧିବେଶନ ଆୟୋଜନ ପାଇଁ ସୁପାରିଶ କରିଥିଲେ । ସୂଚନାଯୋଗ୍ୟ ଯେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ଏହା ସଂସଦର ପ୍ରଥମ ଅଧିବେଶନ ହେବାକୁ ଯାଉଛି । ଏଥିସହିତ ସଂସଦର ଗତ ଅଧିବେଶନ ତୁଳନାରେ ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ଆସିଛି । ଚଳିତ ବର୍ଷ ପ୍ରାରମ୍ଭରେ ଦ୍ୱିତୀୟ ଲହର ସମୟରେ ପରିଲକ୍ଷିତ ହେଉଥିବା ସଂକ୍ରମଣ ତୁଳନାରେ ସଂପ୍ରତି ଦୈନିକ ନୂଆ ସଂକ୍ରମଣ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି । ଦେଶରେ ଇତିମଧ୍ୟରେ ଟିକାକରଣ ଅଭିଯାନକୁ ମଧ୍ୟ ବ୍ୟାପକ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦ ଏବଂ ସଂସଦର ସମସ୍ତ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ ଶେଷ କରିବାକୁ ତ୍ୱରିତ ପଦକ୍ଷେପ ନିଆଯାଉଛି ।
Discussion about this post