Report Card Odisha

| Daily Odia News

ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ,ବିଜ୍ଞାନ,ଧନ୍ଦାମୂଳକ ଶିକ୍ଷା,ପତ୍ର ବିନିମୟ‌ ପାଠ୍ୟକ୍ରମର ନିୟମିତ ଏବଂ ଏକ୍ସ ରେଗୁଲାର ପ୍ରାକ୍ଟିକାଲ ପରୀକ୍ଷା ଆଜିଠାରୁ ଅନୁଷ୍ଠିତ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ୨ କଳା ପାଠ୍ୟକ୍ରମର ମାତୃଭାଷା ଏବଂ ଇଂରାଜୀ ବିଷୟ ଅନ୍‌ଲାଇନ୍‌ ଜରିଆରେ ମୂଲ୍ୟାୟନ କରାଯିବ। ଫଳରେ ପରୀକ୍ଷା ଫଳ ପ୍ରକାଶନ ଶୀଘ୍ର ହୋଇପାରିବ। ରାଜ୍ୟର ୧୨୭୬ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ୨୧୫ ପରୀକ୍ଷା କେନ୍ଦ୍ରରେ ଧନ୍ଦାମୂଳକ ପରୀକ୍ଷା ହେବ। ୨୦୬୨ ଶିକ୍ଷାନୁଷ୍ଠାନ(କନିଷ୍ଠ ମହାବିଦ୍ୟାଳୟ)ର ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ। ଆଜିଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ। ସେହିପରି ଫେବୃଆରୀ ୧୮ରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ରେ ସରିବ। ଫେବୃଆରୀ ୧୮ରୁ ଥିଓରୀ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। କପି ରୋକିବାକୁ ସିସି କ୍ୟାମେରା ସହ ଏଥର ଚତୁଃସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ଚଳିତ ଥର ପ୍ରତି ଜିଲାରେ ଜିଲାସ୍ତରୀୟ ସ୍କ୍ବାଡ ଗଠନ କରାଯିବ। ତ୍ରୁଟିଶୂନ୍ୟ ପରୀକ୍ଷା ସହ ୪୫ ଦିନ ଭିତରେ ଫଳ ପ୍ରକାଶ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ପୂର୍ବରୁ ବାଣିଜ୍ୟ ଏବଂ ବିଜ୍ଞାନ ପାଠ୍ୟକ୍ରମର ଖାତା ମୂଲ୍ୟାୟନ ଅନ୍‌ଲାଇନ୍‌ ଜରିଆରେ ହେଉଥିଲା। ମାତ୍ର ଚଳିତ ବର୍ଷରୁ କଳା ପାଠ୍ୟକ୍ରମର ମାତୃଭାଷା ଏବଂ ଇଂରାଜୀ ବିଷୟର ଖାତା ମୂଲ୍ୟାୟନ ଅନ୍‌ଲାଇନ୍‌ରେ କରାଯିବ। ଏନେଇ ପରିଷଦ ନିଷ୍ପତ୍ତି ନେଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଠାରୁ ଅନୁମତି ଲୋଡ଼ିଛି। ଅନୁମତି ମିଳିବା ପରେ ଚଳିତ ବର୍ଷ ବାଣିଜ୍ୟ ଏବଂ ବିଜ୍ଞାନ ଭଳି କଳା ପାଠ୍ୟକ୍ରମର ୨ଟି ବିଷୟର ଖାତା ଅନ୍‌ଲାଇନ୍‌ରେ ଦେଖାହେବ। ମାତ୍ର ଅନ୍ୟ ବିଷୟ ପୂର୍ବପରି ଅଫଲାଇନ୍‌ରେ ମୂଲ୍ୟାୟନ କରାଯିବ।

Breaking News