Report Card Odisha

| Daily Odia News

କରୋନାରେ ଅନାଥଙ୍କ ପାଇଁ ପିଏମ୍ କେୟାର୍ସ ଫଣ୍ଡରୁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀରେ ବାପା ମାଆଙ୍କୁ ହରାଉଥିବା ଅନାଥଙ୍କ ପାଇଁ ପିଏମ୍ କେୟାର୍ସ ଫଣ୍ଡରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନର କୋଭିଡ ମହାମାରୀର ପ୍ରଭାବିତ ହୋଇଥିବା ପିଲାମାନଙ୍କର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ଲାଭଜନକ ସହାୟତା ଘୋଷଣା କରିଛନ୍ତି। ଏହି ସବୁ ସହାୟତା ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦେଶ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ଯାହାଫଳରେ ସେମାନେ ଦୃଢ଼ ନାଗରିକ ଭାବେ ବିକଶିତ ହୋଇପାରିବେ ଏବଂ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସଂଘର୍ଷପୂର୍ଣ୍ଣ ମୁହୂର୍ତ୍ତରେ, ଏକ ସମାଜ ଭାବେ, ଆମର କର୍ତ୍ତବ୍ୟ ହେଉଛି ଆମର ପିଲାମାନଙ୍କର ଯତ୍ନ ନେବା ଓ ଏକ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଆଶା ଜାଗ୍ରତ କରିବା । ପିଲାଙ୍କ ପାଇଁ ପିଏମ୍ କେୟାର୍ସ ନାଁରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଯେଉଁ ପିଲାମାନେ କରୋନାରେ ବାପା ମାଆ କିମ୍ବା ଅଭିଭାବକଙ୍କୁ ହରାଉଛନ୍ତି ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ସେଭଳି ପିଲାଙ୍କୁ ୧୮ ବର୍ଷ ହେବା ମାତ୍ରେ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ସେହିଭଳି ୨୩ ବର୍ଷ ବୟସର ହେଲେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଏକ ପାଣ୍ଠି ମଧ୍ୟ ମିଳିବ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ ଗତକାଲି କରୋନାରେ ଅନାଥ ହେଉଥିବା ଶିଶୁଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆସନ୍ତା ଶନିବାର ସୁଦ୍ଧା ଏଭଳି ପିଲାଙ୍କର ତାଲିକା ପ୍ରସ୍ତୁତ କରି ଏହାକୁ NCPCR ୱେବ୍‌ସାଇଟରେ ଅପଲୋଡ୍ କରିବାକୁ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Breaking News