ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି | ଏହା ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି। ବିଗତ ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଶାହ ଓ ନଡ୍ଡାଙ୍କର ବିଭିନ୍ନ ପର୍ଯ୍ୟାୟ ବୈଠକ ହୋଇଛି । ତେବେ ଆଲୋଚନା ବାବଦରେ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। ଗତ ରାତିରେ ମଧ୍ୟ ପ୍ରଧାନମନ୍ତ୍ରୀ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟଦକ୍ଷତା ସମୀକ୍ଷା କରିଛନ୍ତି। ଆସନ୍ତା ୨୧ ତାରିଖରୁ କେନ୍ଦ୍ର ସରକାର ୧୮ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ମାଗଣା ଟିକା ଦେବେ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି। ଏଥିସହିତ ଦେଶର ୮୦ କୋଟି ଗରିବ ଲୋକଙ୍କୁ ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ମାଗଣା ରାସନ ଦେବାନେଇ ଘୋଷଣା କରାଯାଇଛି । ଏଥିସହିତ କୋଭିଡ ସମୟରେ ଲୋକଙ୍କ ପାଇଁ ଆଉ କି କି ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇ ପାରିବ ତାହା ଉପରେ ସରକାର ବିଚାରବିମର୍ଶ କରୁଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟଦକ୍ଷତା ସମୀକ୍ଷା କରିଛନ୍ତି । ସୂଚନା ଅନୁଯାୟୀ ଗତ ରାତିରେ ପ୍ରଧାନମନ୍ତ୍ରୀ ୭ଟି ମନ୍ତ୍ରାଳୟର ସମୀକ୍ଷା କରିଛନ୍ତି। ମନ୍ତ୍ରାଳୟ ଗୁଡ଼ିକ ପକ୍ଷରୁ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ, ଇସ୍ପାତ, ଜଳ ଶକ୍ତି, ଦକ୍ଷତା ବିକାଶ ଓ ଔଦ୍ୟୋଗିକତା, ବେସାମରିକ ବିମାନ ଚଳାଚଳ, ଭାରି ଶିକ୍ପ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ରହିଛି। ମନ୍ତ୍ରାଳୟ ଗୁଡ଼ିକ ପକ୍ଷରୁ ଆଉ କି କି ନୂଆ ଯୋଜନା ଆରମ୍ଭ କରାଯାଇ ପାରିବ ତାହା ଉପରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି। ଦେଶରେ କରୋନାର ଦ୍ବିତୀୟ ଲହରରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଦୁର୍ବଳତା ପଦାରେ ପଡ଼ିଯାଇଛି। ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ ହୋଇ ନଥିଲା। ସେହିଭଳି ରୋଗୀଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ମଧ୍ୟ ଦେଖାଦେଇଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..