Report Card Odisha

| Daily Odia News

ଦେଶରେ କରୋନା ସ୍ଥିତି ଉପରେ ସମୀକ୍ଷା କଲେ ପ୍ରଧନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ସ୍ଥିତି ଉପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସମୀକ୍ଷା ବୈଠକ କରିଛନ୍ତି।ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟର ସଂକ୍ରମଣ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି। ପ୍ରାୟ ୧୨ଟି ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନକୁ ତ୍ଵରିତ କରିବା ଲାଗି ବୈଠକରେ ଗୁରୁତ୍ଵ ଦେଇଥିବା ଜଣାପଡ଼ିଛି। ଏହାବ୍ୟତୀତ ଯେଉଁ ଜିଲ୍ଲାଗୁଡ଼ିକରେ ମୃତ୍ୟୁ ସଂଖ୍ୟା ଅଧିକ ସେ ବିଷୟରେ ବି ପ୍ରଧାନମନ୍ତ୍ରୀଙ୍କୁ ଜଣାଯାଇଛି । ମୋଦୀ ରାଜ୍ୟଗୁଡ଼ିକରେ ଟିକାକରଣର ବେଗକୁ ହ୍ରାସ ନ କରିବା ଉପରେ ଜୋର୍‌ ଦେଇଛନ୍ତି। ତାଲାବନ୍ଦ ସତ୍ବେ ନାଗରିକମାନଙ୍କୁ ଟିକା ଦିଆଯାଉ ଏବଂ ଏହି କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟର ଦାୟିତ୍ଵ ଦିଆ ନ ଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପିଏମଓ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂକ୍ରମଣକୁ ରୋକିବା ଲାଗି ତ୍ଵରିତ ଏବଂ ସାମଗ୍ରିକ ଉପାୟ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ବି ଆଲୋଚନା କରାଯାଇଛି। ମୋଦୀ କହିଛନ୍ତି, ରାଜ୍ୟଗୁଡ଼ିକୁ ଚିନ୍ତାଜନକ ସ୍ଥିତିରେ ରହିଥିବା ଜିଲାଗୁଡ଼ିକ, ଯେଉଁଠି ସଂକ୍ରମଣ ହାର ୧୦ ପ୍ରତିଶତ ଅଥବା ତା’ଠାରୁ ଅଧିକ ଏବଂ ଅମ୍ଳଜାନ କିମ୍ବା ଆଇସିୟୁ ଶଯ୍ୟା ୬୦ ପ୍ରତିଶତରୁ ଅଧିକ ପୂରଣ ହୋଇଯାଇଛି, ତାହାର ଚିହ୍ନଟ କରିବା ଲାଗି ଏକ ଆଡଭାଇଜରି ପଠାଯାଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ଔଷଧଗୁଡ଼ିକର ଉପଲବ୍ଧତା ସମ୍ପର୍କରେ ବି ସମୀକ୍ଷା କରିଛନ୍ତି। ରେମଡେସିଭିର ସମେତ ଅନ୍ୟ ଔଷଧଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ପାଇଁ କରାଯାଉଥିବା ଉଦ୍ୟମ ସମ୍ପର୍କରେ ତଥ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଟିକାକରଣର ଅଗ୍ରଗତି ସହିତ ଆଗାମୀ କିଛି ମାସ ମଧ୍ୟରେ ଟିକାର ଉତ୍ପାଦନ ବୃଦ୍ଧି ପାଇଁ ପ୍ରସ୍ତୁତ ରୋଡ୍‌ମ୍ୟାପର ସମୀକ୍ଷା କରିଥିଲେ।

Breaking News