Report Card Odisha

| Daily Odia News

ଲାଲକିଲାରୁ ପାକିସ୍ତାନକୁ ଚେତାଇଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାରା ଭାରତ ଆଜି ପାଳନ କରୁଛି ୭୯ତମ ସ୍ୱାଧୀନତା ଦିବସ। ବିଭିନ୍ନ କୋଣରୁ ଶୁଭୁଛି ଜାତୀୟ ସଙ୍ଗୀତର ଧ୍ବନୀ। ପତାକା ଉତ୍ତୋଳନ ସହିତ ବୀର ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛନ୍ତି ଦେଶବାସୀ। ସବୁବର୍ଷ ଭଳି ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସ୍ୱାଧୀନତା ଦିବସ ପାଳନକୁ ଦୃଷ୍ଟିରେ ରଖି, ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ମଧ୍ୟ ସୁରକ୍ଷା ବାହିନୀ ସଜାଗ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପଦରେ ରହି ଆଜି ତାଙ୍କର ଦ୍ୱାଦଶ ଭାଷଣ ଦେଉଛନ୍ତି। ନିଜ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ପର୍ବ ଦେଶରେ ଏକତାର ଭାବନାକୁ ନିରନ୍ତର ଭାବରେ ମଜବୁତ କରୁଛି। ଭାରତର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ୁଥିବା ଦେଖାଯାଇଛି। ଆଜି ଏହି ପବିତ୍ର ଅବସରରେ ମୁଁ ଲାଲକିଲାର ପ୍ରାଚୀରରୁ ‘ଅପରେସନ ସିନ୍ଦୂର’ରେ ସାମିଲ ସାହସୀ ଯବାନମାନଙ୍କୁ ସଲାମ କରିବାର ସୁଯୋଗ ପାଇଛି। ଆମର ସାହସୀ ଯବାନମାନେ ଶତ୍ରୁମାନଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେଇଛନ୍ତି। ଭାରତ ନିଷ୍ପତ୍ତି ନେଇଛି ଯେ, ଆମେ ଆଉ ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ। ଆମେ ଆଉ ବ୍ଲାକମେଲିଂକୁ ସହ୍ୟ କରିବୁ ନାହିଁ। ସ୍ୱାଧୀନତାର ଏହି ମହାନ ପର୍ବ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସଫଳତାର ଗର୍ବର ମୁହୂର୍ତ୍ତ। ପ୍ରତ୍ୟେକ ହୃଦୟ ଉତ୍ସାହରେ ପରିପୂର୍ଣ୍ଣ। ଦେଶ ନିରନ୍ତର ଏକତାର ଭାବନାକୁ ମଜବୁତ କରୁଛି।’ସେ ଆହୁରି କହିଛନ୍ତି ଯେ, “୧୯୪୭ ମସିହାରେ, ଆମ ଦେଶ ଅସୀମ ସମ୍ଭାବନା ଏବଂ ଲକ୍ଷ ଲକ୍ଷ ବାହୁବଳ ସହିତ ସ୍ୱାଧୀନ ହୋଇଥିଲା। ଦେଶର ଆକାଂକ୍ଷା ଉଚ୍ଚରେ ଥିଲା, କିନ୍ତୁ ଚ୍ୟାଲେଞ୍ଜଗୁଡ଼ିକ ଆହୁରି ଅଧିକ ଥିଲା। ପୂଜ୍ୟ ବାପୁଙ୍କ ନୀତି ଅନୁସରଣ କରି, ସମ୍ବିଧାନ ସଭାର ସଦସ୍ୟମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାହା ଥିଲା ସମ୍ବିଧାନ ତିଆରି କରିବା। ଗତ ୭୫ ବର୍ଷ ଧରି ଭାରତର ସମ୍ବିଧାନ ଏକ ଆଲୋକମାଳ ହୋଇ ଆମକୁ ପଥ ଦେଖାଉଛି।” ଗତ କିଛି ଦିନ ଧରି ହେଉଥିବ‌ା ପ୍ରକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରକୃତି ଆମ ସମସ୍ତଙ୍କୁ ପରୀକ୍ଷା କରୁଛି। ଗତ କିଛି ଦିନ ଧରି ଆମେ ପ୍ରାକୃତିକ ବିପର୍ଯ୍ୟୟ, ଭୂସ୍ଖଳନ, ବାଦଲ ଫଟା ବର୍ଷା ଭଳି ଅନେକ ଘଟଣାର ସାମ୍ନା କରୁଛୁ। ଆମର ସମବେଦନା ପୀଡିତଙ୍କ ପ୍ରତି ରହିଛି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟ ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି।”

Breaking News