Report Card Odisha

| Daily Odia News

ଶାହାରୁଖ୍ ଖାନ୍‌ଙ୍କ ପୁଅ ଡ୍ରଗ୍‌ ମାମଲାରେ ମୁଖ୍ୟ ସାକ୍ଷୀ ପ୍ରଭାକର ମୃତ…..

ରିପୋର୍ଟ କାର୍ଡ / ମୁମ୍ବାଇ

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ସ ମାମଲାରେ ସାକ୍ଷୀ ଥିବା ପ୍ରଭାକର ସେଲ୍‌ଙ୍କ ର ଶୁକ୍ରବାର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଆର୍‌ୟନ୍‌ ଖାନ୍‌ ଡ୍ରଗ୍‌ ମାମଲାରେ ‘ନାକ୍ରୋଟିକ୍ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ର (ଏନ୍‌ସିବି) ପ୍ରଧାନ ସାକ୍ଷୀ ପ୍ରଭାକର ଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ଓକିଲ ତୁଷାର ଖଣ୍ଡାରେ କହିଛନ୍ତି। ଓକିଲ ତୁଷାର ଖଣ୍ଡାରେ କହିବା ଅନୁସାରେ, ଗତକାଲି ଚେମ୍ବୁରର ମହୁଲ ଅଞ୍ଚଳରେ ଥିବା ବାସଭବନରେ ସେଲ୍‌ ହୃଦ୍‌ଘାତ ଯୋଗୁଁ ପ୍ରାଣ ହରାଇଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ, ଆଜି ପୂର୍ବାହ୍ନ ୧୧ଟାରେ ସେଲ୍‌ଙ୍କ ଶବ ଅନ୍ଧେରୀସ୍ଥିତ ତାଙ୍କ ବାସଭବନକୁ ନିଆ ଯାଇଛି ।  ଓକିଲ ତୁଷାର ଖଣ୍ଡାରେ ଆହୁରି କୁଆଡ଼େ କହିଛନ୍ତି ଯେ, ଅଳ୍ପ କିଛି ଦିନ ତଳେ ଦିଲ୍ଲୀ ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ଏସ୍‌ଆଇଟି) ମୁମ୍ବାଇ ଗସ୍ତ କରି ସେଲ୍‌ଙ୍କ ବୟାନ ରେକର୍ଡ କରିଥିଲା। ଆର୍‌ୟନ୍‌ ଖାନ୍‌ ଡ୍ରଗ୍‌ ମାମଲାରେ ପ୍ରଭାକର ସେଲ୍‌ ଥିଲେ ଜଣେ ସ୍ବାଧୀନ ସାକ୍ଷୀ। ଥରେ ସେ କହିଥିଲେ ଯେ, ‘ଏନ୍‌ସିବି’ ତାଙ୍କଠାରୁ ୧୦ ଫର୍ଦ୍ଦ ସାଦା କାଗଜରେ ଦସ୍ତଖତ କରାଇ ନେଇଛି। ସେ ଆହୁରି ମଧ୍ୟ ଦାବି କରିଥିଲେ ଯେ, ୨୫ କୋଟି ଟଙ୍କା ବଟି ଆଦାୟ ପାଇଁ ଫୋନ୍‌ରେ କଥାବାର୍ତ୍ତା ଚାଲିଥିବା ସେ ଶୁଣିଥିଲେ। କିରଣ ଗୋସାୱିଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରୁଥିବା ସେଲ୍‌ ମଧ୍ୟ କହିଥିଲେ ଯେ, ସେ ତାଙ୍କ ମାଲିକଙ୍କ କାର୍ଯ୍ୟକଳାପ ବିଷୟରେ କିଛି ଜାଣି ନାହାନ୍ତି। ସୂଚନାଯୋଗ୍ୟ, ଆର୍‌ୟନ୍‌ ଖାନ୍‌ କ୍ରୁଜ୍‌ ଡ୍ରଗ୍‌ ମାମଲାର ଚାର୍ଜସିଟ୍‌ ଫାଇଲ୍‌ କରିବା ପାଇଁ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ‘ଏନ୍‌ସିବି’କୁ ଆହୁରି ୬୦ ଦିନ ସମୟ ଦେଇଛନ୍ତି। କିନ୍ତୁ, ଚାର୍ଜସିଟ୍‌ ଦାଖଲ କରିବା ଲାଗି ୯୦ ଦିନ ସମୟ ଦେବା ପାଇଁ ଗତ ସୋମବାର ଦିନ ‘ଏନ୍‌ସିବି’ ଅଦାଲତଙ୍କୁ ନିବେଦନ କରିଛି। ସ୍ମରଣଯୋଗ୍ୟ, ଗତବର୍ଷ ମୁମ୍ବାଇ ଉପକୂଳ ସମୁଦ୍ର ମଧ୍ୟରୁ ‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ କରି ‘ଏନ୍‌ସିବି’ ଆର୍‌ୟାନ୍‌ ଖାନ୍‌, ଅର୍‌ବାଜ୍‌ ମର୍ଚାଣ୍ଟ୍‌, ମୁମୁମ୍‌ ଧାମେଚା ଏବଂ ଆଉ ୧୫ଜଣଙ୍କୁ ଗିରଫ କରିଥିଲା

Breaking News