Report Card Odisha

| Daily Odia News

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୩ ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚହିଁ ସାରିଛନ୍ତି ରାଷ୍ଟ୍ରପତି | ଆଜି ରାଜଭବନରେ ରାତ୍ରୀଯାପନ କରିବେ | ସ୍ୱାଗତ କରିବାକୁ ବିମାନବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଫିସର ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ କଡାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାରେ ସଶନ୍ତ୍ର ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି। ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍, ରୁଟ୍ ଲାଇନ୍, ବିମାନବନ୍ଦର, ରାଜଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ୧୦୦ରୁ ଅଧିକ ଅଫିସର, ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ, ହୋମଗାର୍ଡ, ଅନ୍ୟ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ୮ ଜଣ ଅତିରିକ୍ତ ଏସପ୍, ୧୨ ଜଣ ଏସିପି, ୧୭ ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି । ରାଜଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାସହ ବାହାରୁ ଆସୁଥିବା ଲୋକଙ୍କ ଉପରେ କମିଶନରେଟ୍ ପୋଲିସ ନଜର ରଖିଛି । ଆସନ୍ତା କାଲି ରାଷ୍ଟ୍ରପତି ୨୧ ତାରିଖ ସକାଳ ୮ଟା ୪୦ମିନିଟରେ ଭୁବନେଶ୍ବରରୁ ବାହାରି ଝାରସୁଗୁଡ଼ା ଏୟାରପୋର୍ଟରେ ସକାଳ ୯ଟା ୪୫ମିନିଟରେ ପହଞ୍ଚିବେ । ସେଠାରୁ ୯ଟା ୫୫ମିନିଟରେ ବାହାରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲା ଏୟାରଷ୍ଟ୍ରିପରେ ୧୦ଟା ୩୫ମିନିଟରେ ପହଞ୍ଚି, ୧୦ଟା ୫୫ମିନିଟରେ ଏନଆଇଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏହାପରେ ଅପରାହ୍ନ ୩ଟା ୪୫ମିନିଟରେ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ। ସେଠାରୁ ଫେରି ପୁଣି ସନ୍ଧ୍ୟା ୬ଟା ୩୦ମିନିଟରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ ରାଷ୍ଟ୍ରପତି । ୨୨ ତାରିଖ ସକାଳ ୮ଟା ୪୫ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ସକାଳ୯ଟା ୫ରୁ ୯ଟା ୪୫ମିନିଟ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟପର୍ଯ୍ୟନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବେ। ସେହିପରି ପୂର୍ବାହ୍ନ ୧୧ଟା ୨ମିନିଟରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲି ଦେଖିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୧ଟା ୩୦ମିନିଟରୁ ୧୨ଟା ଯାଏଁ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ବୁଲି ଦେଖିବେ ଦେଶର ପ୍ରଥମ ନାଗରିକ। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

 

Breaking News