Report Card Odisha

| Daily Odia News

ସ୍କୁଲ ବନ୍ଦ ନେଇ ବିଚାର ବିମର୍ଶ ଚାଲିଛି:ଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୧୦୦୦ ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ବିଭାଗୀୟ ମନ୍ତ୍ରୀ ସ୍କୁଲ ବନ୍ଦ ନକରିବା‌କୁ ପ୍ରତିଶ୍ରୁତି ନ ଦେବାରୁ ନିଜ ଆସନରେ ଛିଡା ହୋଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି। ନରସିଂହଙ୍କ ପ୍ରଶ୍ନରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କିଛି ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନାହାନ୍ତି । ଅନ୍ୟ କିଛି ସ୍ଥାନରେ ରାସ୍ତା ଏପଟେ ଗୋଟିଏ ସ୍କୁଲ ଓ ଅନ୍ୟପଟେ ଆଉ ଗୋଟେ ସ୍କୁଲ ରହିଛି । ତାକୁ ଦୃଷ୍ଟିରେ ରଖି କେବଳ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଦିଆଯିବା ପରେ ସେ ଉପରେ ବିଚାର ବିମର୍ଶ ଚାଲିଛି । ତେଣୁ ହଜାରେ ହାଇସ୍କୁଲ ବନ୍ଦ ହେବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ । ସ୍କୁଲ ବନ୍ଦ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ନ ଦେବାରୁ ନରସିଂହ ପ୍ରତିବାଦ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ବି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିନା ବିଧାନସଭା ଆଲୋଚନାରେ ରାଜ୍ୟର କୌଣସି ବି ଗୋଟିଏ ସ୍କୁଲ ବନ୍ଦ ହେବ ନାହିଁ। ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ତାରା ଦାବି କରିଥିଲେ । ଶ୍ରୀ ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ହାଇସ୍କୁଲ ବନ୍ଦ ହେବାର କୌଣସି ଉଦ୍ଦେଶ୍ୟ ନାହିଁ । ତେଣୁ ସମସ୍ତଙ୍କୁ ଅନୁରୋଧ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନିଅନ୍ତୁ । ତେବେ ଏହି ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ଫୋରମରେ ଆଣିବାକୁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅନୁରୋଧ କରିଛନ୍ତି ।

Breaking News