ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ପୋଲିସ । ଲକ୍ଷ୍ନୀପୁର ଖେଲି ହିଂସାକାଣ୍ଡ ପରେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୋଲିସ । ସକାଳ ସାଢ଼େ ୫ଟା ବେଳେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୋଲିସ । ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୋଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା । ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୋଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ପ୍ରିୟଙ୍କା ପୋଲିସକୁ କହିଥିଲେ ଯେ, ସମସ୍ତ ଆଇନ କାନୁନ୍ ବିଷୟରେ ତାଙ୍କୁ ଭଲ ଭାବରେ ଜଣା। ତେଣୁ ବିନା ୱାରେଣ୍ଟରେ ପୋଲିସ୍ ତାଙ୍କୁ ଏଭଳି ନେଇପାରିବେ ନାହିଁ। ଗତ ରାତିରେ ପ୍ରିୟଙ୍କା ଲକ୍ଷ୍ନୌ ପହଞ୍ଚିଥିଲେ। ତେବେ ସେଠାରେ ତାଙ୍କୁ ଗୃହବନ୍ଦୀ କରିବାକୁ ପୋଲିସ କହିଥିଲା। ହେଲେ ପ୍ରିୟଙ୍କା ଆଜି ଭୋରରୁ ଗୃହବନ୍ଦୀକୁ ନମାନି ଲକ୍ଷ୍ମୀପୁର ଖେରି ବାହାରୁଥିଲେ। ତାଙ୍କୁ ପୋଲିସ ଅଟକ ରଖିବାକୁ ଚେଷ୍ଟା କରିଥିଲେ ବି ପ୍ରିୟଙ୍କା ନିଜ ସମର୍ଥକଙ୍କ ସହ କିଛି ବାଟ ଚାଲି ଚାଲି ଯାଇଥିଲେ। ଏହାପରେ କାର୍ରେ ଲକ୍ଷ୍ମୀପୁର ଖେରି ଯିବାବେଳେ ସୀତାପୁର ହରଗାଁଓ ନିକଟରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରିୟଙ୍କା ତୀବ୍ର ନିନ୍ଦା କରିବା ସହ ଭର୍ତ୍ସନା କରିଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସେ କହିଛନ୍ତି, ‘ଯେଭଳି ଭାବରେ ତୁମେ ମୋତେ ଧକ୍କା ଦେଲ, ଜବରଦସ୍ତ ନେବା ପାଇଁ ଚେଷ୍ଟା କଲ,ଏହା ଶାରୀରିକ ନିର୍ଯାତନା, ଅପହରଣ ପ୍ରୟାସ। ମୁଁ ସବୁକିଛି ବୁଝି ପାରୁଛି, ମୋତେ ଛୁଇଁକି ଦେଖାଅ ତ। ପ୍ରଥମେ ମନ୍ତ୍ରୀ ଓ ଅଧିକାରୀଙ୍କ ନିକଟକୁ ଯାଇ ୱାରେଣ୍ଟ ଓ ନିର୍ଦ୍ଦେଶ ଆଣନ୍ତୁ। ଗିରଫ ପାଇଁ ମହିଳା(ମହିଳା ପୋଲିସ୍ କର୍ମୀ)ଙ୍କୁ ଆଗକୁ ପଠାନ୍ତୁ ନାହିଁ। ପ୍ରଥମେ ମହିଳାଙ୍କ ସହ ଭଲରେ କଥାବାର୍ତ୍ତା କରିବା ଶିଖନ୍ତୁ।’ପ୍ରିୟଙ୍କା ଆହୁରି କହିଛନ୍ତି, ପୀଡ଼ିତଙ୍କ ପରିବାରକୁ କାହିଁକି ଭେଟିବାକୁ ଦିଆଯିବ ନାହିଁ, ସେନେଇ ଉପଯୁକ୍ତ କାରଣ ନ ଜଣାଇଲେ, ସେ ଫେରିବେ ନାହିଁ। କୃଷକ ଆନ୍ଦୋଳନକୁ ଚପାଇ ଦେବା ପାଇଁ ସରକାର ରାଜନୀତି କରୁଛନ୍ତି। ପୀଡିତଙ୍କ ପରିବାରକୁ ଭେଟିବାକୁ ଯାଇ କୌଣସି ଅପରାଧ କରୁ ନାହାନ୍ତି। ଯଦି କୌଣସି ଭୁଲ କରୁଛନ୍ତି ତତ୍ ସମ୍ପର୍କିତ ପ୍ରମାଣ ଦେଖାନ୍ତୁ ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି। ସୂଚନା ଯୋଗ୍ୟ -ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁର ଖେରିର ତିକୁନିଆ ଅଞ୍ଚଳରେ ଗତକାଲି ହିଂସାକାଣ୍ଡ ହୋଇଥିଲା । ଚାରି ଜଣ ଚାଷୀଙ୍କର ଜୀବନ ଯାଇଥିଲା । ଅଭିଯୋଗ ହୋଇଛି, କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରାଙ୍କ ପୁଅ ମୃତ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ । ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଗତକାରି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି । ବାଟରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……