ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପୁରୀର ଆଧ୍ୟାତ୍ମିକ ଗରିମା ବୃଦ୍ଧି ସହ ପୀଠର ସମ୍ପତ୍ତିର ସୁରକ୍ଷା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ‘ସନ୍ଧ୍ୟା ମହୋଦଧି ଆରତୀ’ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ। ଆରତୀସ୍ଥଳର ସୌନ୍ଦର୍ଯ୍ୟକରଣ ସହ ଆରତୀକୁ ଆହୁରି ଭବ୍ୟ ଆହୁରି ଭବ୍ୟ ଆକାରରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ପୁରୀ ବେଳାଭୂମିକୁ ଏକ ଭବ୍ୟ ଆଧ୍ୟାତ୍ମିକ ବେଳାଭୂମି ଭାବେ ବିକଶିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଗୋବର୍ଦ୍ଧନ ପୀଠର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଲ୍ୟାଣ୍ଡ ସେଟେଲମେଣ୍ଟ ଦସ୍ତାବିଜକୁ ପୁନର୍ବାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିରାପତ୍ତା ଏବଂ ପୀଠ ପରିସରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି। ଗୋବର୍ଦ୍ଧନ ପୀଠର ସମସ୍ତ ପୂର୍ବାଚାର୍ଯ୍ୟଙ୍କ ପବିତ୍ର ସମାଧିସ୍ଥଳର ସୁରକ୍ଷା ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ମଠର ପାରିପାର୍ଶ୍ୱିକ ବିକାଶ ସହ ପରିସରରେ ଥିବା ‘ଶ୍ରୀ ଗୋବର୍ଦ୍ଧନ ଗୋଶାଳା’ର ସୁପରିଚାଳନା ପାଇଁ ଆବଶ୍ୟକ ସୁବିଧା ଯୋଗାଇଦେବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଆଇନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ସମେତ ଗୋବର୍ଦ୍ଧନ ପୀଠର ସାଧୁସନ୍ଥ ଓ ବରିଷ୍ଠ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପୀଠର ବ୍ୟବସ୍ଥା ପ୍ରମୁଖ ପ୍ରଫୁଲ୍ଲ ଚୈତନ୍ୟ ମହାରାଜ, ଆଦିତ୍ୟ ବାହିନୀ ମୁଖ୍ୟ, ପୀଠ ପ୍ରତିନିଧି ମାତୃ ପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମଧ୍ୟ ବୈଠକରେ ଯୋଗ ଦେଇଥିଲେ।




More Stories
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……