ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ପୁଣିଥରେ ଜମ୍ମୁ-କଶ୍ମୀର ପାଇଁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ଲୋକଙ୍କ ଠାରୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ପୁଞ୍ଚରେ ଆୟୋଜିତ ଗୋଟିଏ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି କହିଛନ୍ତି, “ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି। ଅନେକ ଥର ଏକାଧିକ କେନ୍ଦ୍ର ଶାସିତ ଅଞ୍ଚଳରେ ରାଜ୍ୟରେ ପରିଣତ ହୋଇଛି। ସାଧାରଣତଃ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟରେ ପରିଣତ କରାଯାଏ ଓ ରାଜ୍ୟ ଦୁଇ ଭାଗରେ ବିଭକ୍ତ ହୁଏ। ଭାରତ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟିଛି। ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ରାଜ୍ୟକୁ କୁହାଯାଇଛି ଯେ ଏବେ ଏହା କେନ୍ଦ୍ର ଶାସିତ ଅଞ୍ଚଳ। ଏଥିପାଇଁ ଆମେ ପ୍ରଥମେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ଦାବି କରିଛୁ। ଆପଣମାନଙ୍କ ରାଜ୍ୟ ଆପଣମାନଙ୍କୁ ଫେରାଇ ଦିଆଯାଉ।” ୨୦୧୯ରେ ମୋଦି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ୩୫ଏକୁ ଉଚ୍ଛେଦ କରିଥିଲେ। ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଜମ୍ମୁ-କଶ୍ମୀର ଦୁଇ ଭାଗ ହେବା ପରେ କୌଣସି ବିଧାନସଭା ନିର୍ବାଚନ ହୋଇ ନଥିଲା। ତେବେ ସୁପ୍ରିମକୋର୍ଟ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ବିଧାନସଭା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାକୁ ଏବେ ସେଠାରେ ଭୋଟିଂ ହେଉଛି। ପ୍ରଥମ ପର୍ଯ୍ୟାୟ ଭୋଟ ୧୮ରେ ଶେଷ ହୋଇଥିବା ବେଳେ ୨୫ ଓ ଅକ୍ଟୋବର ୧ରେ ଆଉ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ଏଥିପାଇଁ ସବୁ ରାଜନୀତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଗୋଟିଏ ରାଜ୍ୟ ବିଭାଜିତ ହୋଇ ଆନ୍ଧ୍ର ଓ ତେଲଙ୍ଗାନା ହୋଇଛି। ଛତିଶଗଡ଼ ଭିତରୁ ମଧ୍ୟପ୍ରଦେଶ ବାହାରିଛି। ବିହାର ଠାରୁ ଅଲଗା ହୋଇ ଝାରଖଣ୍ଡ ଗଠନ ହୋଇଛି। କିନ୍ତୁ ପ୍ରଥମଥର ପାଇଁ ଭାରତ ଇତିହାସରେ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଆପଣମାନଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..