Report Card Odisha

| Daily Odia News

ଆଜିଠୁ ଗଡିବ ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇର ସର୍ବ ପ୍ରଥମ ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏହା ହେଉଛି ଏକ ‘ରୋଲ୍‌-ଅନ୍‌-ରେଲ୍‌-ଅଫ୍‌’ ଟ୍ରେନ୍‌, ଯାହା ‘ଅକ୍ସିଜେନ୍‌’ ଟ୍ରକ୍‌ କିଂବା ଟ୍ୟାଙ୍କର୍‌କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ବୋଲି କେନ୍ଦ୍ରୀୟ ରେଳବାଇର ଅଧିକାରୀମାନେ କହିଛନ୍ତି। ଏହି ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ବୋଇସାର୍‌ ରେଳବାଇ ୟାର୍ଡରୁ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ଆଜି ସକାଳେ କେନ୍ଦ୍ରୀୟ ରେଳବାଇର କାଲାମ୍ବୋଇ ରେଳବାଇ ୟାର୍ଡରେ ତରଳ ‘ଅକ୍ସିଜେନ୍‌’ ପରିବହନ ନିମନ୍ତେ ଖାଲି ଟ୍ୟାଙ୍କର୍‌ ବୋଝେଇ କରାଯାଉଥିଲା। ଏହି ଟ୍ରେନ୍‌ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ଇସ୍ପାତ କାରଖାନା ଅଭିମୁଖେ ଯାତ୍ରା ଆରମ୍ଭ କରିବ। ସେଠାରେ ଟ୍ୟାଙ୍କର୍‌ଗୁଡ଼ିକରେ ତରଳ ‘ଅକ୍ସିଜେନ୍‌’ ଭରାଯିବ। ତା’ପରେ ଉକ୍ତ ଟ୍ୟାଙ୍କର୍‌ଗୁଡ଼ିକୁ ଫ୍ରେଟ୍‌ ଓ୍ଵାଗନ୍‌ରେ ଲଦାଯାଇ ନଓ୍ଵି ମୁମ୍ବାଇର କାଲାମ୍ବୋଲିକୁ ଅଣାଯିବ। ଏହି ‘ଅକ୍ସିଜେନ୍‌ ଏକ୍ସପ୍ରେସ୍‌’ର ଅବାଧ ଗମନା ଗମନ ନିମନ୍ତେ ଏକ ‘ଗ୍ରିନ୍‌ କରିଡର୍‌’ ଯୋଗାଇ ଦିଆଯିବ। ଏହାପରେ ‘ଅକ୍ସିଜେନ୍‌’ ଭରା ଟ୍ୟାଙ୍କର୍‌ଗୁଡ଼ିକୁ ସଡ଼କ ପଥରେ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳକୁ ପଠାଯିବ। ତରଳ ‘ଅକ୍ସଜେନ୍‌’ ପରିବହନ ପାଇଁ ରେଳବାଇ ବୋର୍ଡ ଅଧିକାରୀ ଏବଂ ରାଜ୍ୟ ପରିବହନ କମିସନର୍‌ଙ୍କ ମଧ୍ୟରେ ବୈଠକ ବସିଥିବା କଥା ଏକ ସରକାରୀ ବିବୃତିରୁ ଜଣାପଡ଼ିଛି।

 

 

Breaking News