ରିପୋର୍ଟ କାର୍ଡ / ପାଟଣା
ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ସମସ୍ତିପୁରର ଲୋକ ଜନଶକ୍ତି ଦଳର ସାଂସଦ ଓ ବିହାର ଏଲଜେପିର ପ୍ରଦେଶ ଅଧ୍ୟକ୍ଷ ପ୍ରିନ୍ସ ରାଜଙ୍କ ଅଡୁଆ ବଢି ଚାଲିଛି। ଆଗାମୀ ଦିନରେ ପ୍ରିନ୍ସ ରାଜଙ୍କୁ ଦିଲ୍ଲୀ ପୋଲିସର ଅନେକ ପ୍ରଶ୍ନର ଜବାବ ଦେବାକୁ ପଡିବ। କାରଣ ଜଣେ ଯୁବତୀ ପ୍ରିନ୍ସ ରାଜଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଛନ୍ତି। ଦିଲ୍ଲୀର ରାଉସ ଏଭେନ୍ୟୁ କୋର୍ଟଙ୍କ ଆଦେଶ ପରେ ପ୍ରିନ୍ସ ରାଜଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ପୀଡିତାଙ୍କ ଦାବି ଏତେ ଦୁର୍ବଳ ନୁହେଁ ଯେତିକି ପ୍ରିନ୍ସ ରାଜ ନିଜର ପୁରୁଣା ବୟାନରେ କହିଥିଲେ। ପ୍ରିନ୍ସ ରାଜ ମଧ୍ୟ ଯୁବତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ପ୍ରିନ୍ସଙ୍କ ଏଫଆଇଆର ଅନୁଯାୟୀ, ୨୦୧୯ ରେ ଯୁବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ୨୦୨୦ ଜୁନ ଯାଏଁ ଦୁହେଁ ପରସ୍ପରର ଅତି ନିକଟତର ହୋଇଯାଇଥିଲେ। ୨୦୨୦ ଜୁନ ୧୮ ରେ ଯୁବତୀ ତାଙ୍କୁ ଗାଜିଆବାଦ ସ୍ଥିତ ନିଜ ଘରକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ତେବେ ଯୁବତୀ ଅଭିଯୋଗ କରିଛନ୍ତି ଯେ ପ୍ରିନ୍ସ ତାଙ୍କ ଇଚ୍ଛା ବିରୁଦ୍ଧରେ ପ୍ରିନ୍ସ ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ। ଯୁବତୀ ୩ ମାସ ପୂର୍ବରୁ ଦିଲ୍ଲୀ ପୋଲିସରେ ପ୍ରିନ୍ସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ମାମଲା ରୁଜ୍ଜୁ କରିନଥିଲା। ତେବେ ପ୍ରିନ୍ସ ମଧ୍ୟ ଚଳିତ ବର୍ଷ ଫେବୃଆରୀରେ ଯୁବତୀଙ୍କ ବିରୋଧରେ ବ୍ଲାକମେଲ ଓ ନିର୍ଯ୍ୟାତନା ମାମଲା ରୁଜ୍ଜୁ କରିଥିଲେ। ପ୍ରିନ୍ସ ରାଜ ଏଲପିଏଜି ସଂସ୍ଥାପକ ଅଧ୍ୟକ୍ଷ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ସାନ ଭାଇ ଦିବଂଗତ ରାମଚନ୍ଦ୍ର ପାଶୱାନଙ୍କ ପୁଅ। ସେ ଚିରାଗ ପାଶୱାନଙ୍କ ଦାଦା ପୁଅ ଭାଇ ମଧ୍ୟ। ଯୁବତୀ ଚଳିତ ବର୍ଷ ଜୁନରେ କନୌଟ ପ୍ଲେସ ଥାନାରେ ୩ ପୃଷ୍ଠା ବିଶିଷ୍ଟ ଲିଖିତ ଅଭିଯୋଗ କରିଥିଲେ। ପରେ ଏଫଆଇଆର ରୁଜ୍ଜୁ ହେବାରେ ବିଳମ୍ବ ହେବାରୁ ଯୁବତୀ କୋର୍ଟକୁ ଯାଇ ମାମଲା ରୁଜ୍ଜୁ କରିଥିଲେ। ଯୁବତୀ ଅଭିଯୋଗ କରିଛନ୍ତି ଯେ ପ୍ରିନ୍ସ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ ପ୍ରିନ୍ସ ଟ୍ୱିଟ କରି ଯୁବତୀଙ୍କ ଅଭିଯୋଗକୁ ଖାରଜ କରିଥିଲେ। ସେ ଟ୍ୱିଟ କରିଥିଲେ ଯେ, ତାଙ୍କ ଉପରେ ଅନାବଶ୍ୟକ ରୂପେ ଚାପ ପକାଇବାକୁ ମିଛ କାହାଣୀ କହି ଷଡଯନ୍ତ୍ର ରଚାଯାଇଛି। ସେ ଫେବୃଆରୀ ୯ ତାରିଖରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ। ଯୁବତୀ ତାଙ୍କୁ ହନିଟ୍ରାପରେ ଫସାଇଛନ୍ତି ଓ ତାଙ୍କୁ ବ୍ଲାକମେଲ କରୁଛନ୍ତି ବୋଲି ଏଫଆଇଆରରେ ଲେଖିଥିଲେ। ପ୍ରିନ୍ସ ଏଫଆଇଆରରେ ଲେଖିଛନ୍ତି ଯେ ୨୦୨୦ ଜୁନ ୧୮ରେ ଯୁବତୀ ତାଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ ହୋଇଥିଲା। ସେତେବେଳେ ଯୁବତୀ ମୋବାଇଲରେ ତାଙ୍କର ଆପତ୍ତିଜନକ ଭିଡିଓ ରେକର୍ଡ କରିଥିଲେ ଓ ପରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଏହି ଭିଡିଓ ଲିକ କରିବା ନେଇ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ବ୍ଲାକମେଲ କରି ତାଙ୍କୁ ୧୨କୋଟି ଟଙ୍କା ଦାବି କରିଥିଲେ। ଏଫଆଇଆରରେ ପ୍ରିନ୍ସ କହିଛନ୍ତି ଯେ ସେ ଯୁବତୀଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ଦେଇଛନ୍ତି।
Discussion about this post