ରିପୋର୍ଟ କାର୍ଡ / କେନ୍ଦ୍ରାପଡା
କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ୍ରେ ଗତକାଲି ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି । ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ସ୍ତ୍ରୀ ଅମ୍ବିକା ପୂର୍ବାହ୍ନ ୧୧ଟାରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଶିଶୁକୁ ତୁରନ୍ତ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏସ୍ଏନ୍ସିୟୁ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ଶିଶୁଭବନର ପେଡିଆଟିକ୍ ନ୍ୟୁବର୍ନ ଓ୍ବାର୍ଡ ଆଇସିୟୁ କ୍ୟାବିନ୍ରେ ଶିଶୁକୁ ରଖାଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ସୋମବାର ଏକ ସ୍ବତନ୍ତ୍ର ଟିମ୍ ଶିଶୁର ଅବସ୍ଥା ଅନୁଧ୍ୟାନ କରିବ ବୋଲି ସୁପରିଣ୍ଟେଣ୍ଡେଣ୍ଟ ଜ୍ଞାନେନ୍ଦ୍ର ବେହେରା କହିଛନ୍ତି। ଅନ୍ୟପକ୍ଷରେ ଶିଶୁଙ୍କ ମା’ ଅମ୍ବିକାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡ. ଦେବାଶିଷ ସାହୁ କହଛନ୍ତି ଯେ, ଏହା ହେଉଛି ଯୋଡ଼ି ହୋଇରହିଥିବା ଯାଆଁଳା ଶିଶୁ, ଯାହାକି ଏକ ବିରଳ ଜନ୍ମଗତ ବିଶୃଙ୍ଖଳା । ପେଟ ଓ ବକ୍ଷଦେଶ ଯୋଡ଼ି ହୋଇରହିଛି। ଛାତି, ପେଟ ଏବଂ ମେରୁଦଣ୍ଡର ଅଲଟ୍ରାସାଉଣ୍ଡ ପରେ ଶିଶୁର ପ୍ରକୃତ ଅବସ୍ଥା ଜାଣିହେବ ବୋଲି ଡ. ସାହୁ କହିଛନ୍ତି । ଅନ୍ୟପକ୍ଷରେ ଯୋଡ଼ା ଶିଶୁକନ୍ୟାର ବାପା ଉମାକାନ୍ତ କହିଛନ୍ତି ଯେ, ତାଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ। ସେ ମୂଲ ଲାଗିବା ସହ ପରିବା ବିକ୍ରି କରି ପରିବାର ଚଳାଉଛନ୍ତି। ଏପରି ସ୍ଥଳେ ପିଲାଟିର ଚିକିତ୍ସା ତାଙ୍କ ଦ୍ୱାରା ସମ୍ଭବ ନୁହେଁ । ସରକାର କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କ ସହଯୋଗ ମିଳିଲେ ଶିଶୁର ଜୀବନ ବଞ୍ଚତ୍ବ ବୋଲି ସେ କହିଛନ୍ତି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..