ରିପୋର୍ଟ କାର୍ଡ / ଭୁବନେଶ୍ୱର
ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବ୍ରିଜ୍ ଉପରେ ଆଜି ସକାଳ ସମୟରେ ବିଚ୍ ରାସ୍ତା ଉପରେ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ଙ୍କୁ ନିର୍ମମ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ୩ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁୁ ବ୍ୟକ୍ତିଗତ ରାଗ ଥିଲା । ସେହି ରାଗରୁ ହତ୍ୟାକାଣ୍ଡ ହୋଇଛି। ଏହାସହ ସହଦେବ ପୋଲିସ ମିତ୍ର ଭାବରେ କାମ କରୁଥିଲେ। ଧଳା ଜହର ଆଦି ମାମଲା ବିଷୟରେ ସୂଚନା ଦେଉ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସୂଚନା ଯୋଗ୍ୟ, କେଦାରପଲ୍ଲୀ ବସ୍ତିର ବିଏମ୍ସି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ଆଜି ସକାଳୁ ଝିଅକୁ ସ୍କୁଲରେ ଛାଡ଼ି ସ୍କୁଟରରେ ଫେରିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି। ସକାଳ ସମୟରେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ସହଦେବଙ୍କୁ ଗୋଡାଇ ଗୋଡାଇ ହାଣି ତାଙ୍କୁ ହତ୍ୟା କରିଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କ ମୃତଦେହ ପହଞ୍ଚିବା ପରେ ଅନ୍ୟ ସଫେଇକର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ଅପରାଧୀ ଧରା ନପଡିଲେ ରାଜଧାନୀରେ ସଫେଇକାମ ବନ୍ଦ ରହିବ ବୋଲି ଉତ୍ତ୍ୟକ୍ତ କର୍ମୀ ମାନେ ଚେତାବନୀ ଦେଇଛନ୍ତି। ସେପଟେ ସହଦେବଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି/ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ବାମୀ ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..