ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଶ୍ୱବ୍ୟାପୀ ହେଉ। ରଥଯାତ୍ରା ଆଉ ପୁରୀ, ଓଡ଼ିଶା କିମ୍ବା ଦେଶରେ ସୀମିତ ହୋଇ ରହିନାହିଁ; ଏହା ବିଶ୍ୱବ୍ୟାପୀ ହୋଇସାରିଛି ବୋଲି କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହଦେବ। ‘ରାଜପ୍ରସାଦ ବିଜେ’ ନୀତି ଅବସରରେ ଶ୍ରୀନଅରରେ ଗଜପତି ମହାରାଜ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବିଶ୍ୱର ଦେବତା। ରଥଯାତ୍ରା ଦର୍ଶନ କରି ଅଗଣିତ ଶ୍ରଦ୍ଧାଳୁ ଆନନ୍ଦିତ ହୁଅନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ହେଉ। ସମ୍ପୂର୍ଣ୍ଣ ଭକ୍ତି ଓ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁମାନେ ରଥଯାତ୍ରା ଦର୍ଶନ କରନ୍ତୁ ଏବଂ ନିଜ ଜୀବନକୁ ଧନ୍ୟ କରନ୍ତୁ। ଚଳିତବର୍ଷ ରାଜପ୍ରସାଦ ବିଜେ କାର୍ଯ୍ୟକ୍ରମରେ ସେବକଙ୍କ ସହ ମନ୍ଦିର ପ୍ରଶାସନ ଓ ପୋଲିସ ଅଧିକାରୀ ସାମିଲ ହେବା ଆନନ୍ଦର ବିଷୟ। ମହାପ୍ରଭୁଙ୍କ ପହଣ୍ଡି ଯେପରି ସୁବିଧାରେ ହେବ ଏବଂ ଭକ୍ତମାନେ ଦର୍ଶନ କରିପାରିବେ, ସେଥିପାଇଁ ଦଇତାପତିଙ୍କୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ରଥ ଉପରେ ଠାକୁରଙ୍କ ସମ୍ମୁଖରେ ଛିଡ଼ା ନହେବାକୁ ସେବକମାନଙ୍କୁ ପରାମର୍ଶ ଦିଆଯାଇଛି। ରଥ ଉପରେ ଅଧିକ ସେବକ ରହିବା ଉଚିତ ନୁହେଁ କିମ୍ବା ମହାପ୍ରଭୁଙ୍କ ଭୁଜ ଭିତରେ କୌଣସି ସେବକ ରହିବେ ନାହିଁ। ଏଥିପାଇଁ ସେବକମାନଙ୍କୁ ପରାମର୍ଶ ଦିଆଯାଇଛି। ରଥ କର୍ଡନ ଭିତରେ ଅଧିକ ଲୋକ ରହୁଥିବାରୁ ରଥଟଣାରେ ଗତବର୍ଷ ସମସ୍ୟା ସୃଷ୍ଟି ହୋଇଥିଲା। ଗତବର୍ଷ ଅଘଟଣର ଯେପରି ପୁନରାବୃତ୍ତି ନହୁଏ, ତାହାକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି। ସେହିପରି, ସୂର୍ଯ୍ୟାସ୍ତ ପରେ ମଧ୍ୟ ମଶାଲ ଜାଳି ରଥଟଣା ଯାଇପାରିବ ବୋଲି ଗଜପତି ମହାରାଜ କହିଛନ୍ତି। ଅପରପକ୍ଷେ, ଇସ୍କନର ମୁମ୍ବାଇ ଶାଖା ଶନିବାର ଏକ ପ୍ରେସ ବିଜ୍ଞପ୍ତିରେ ରଥଯାତ୍ରା ସମ୍ପର୍କରେ କିଛି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଛି। ଖୁବଶୀଘ୍ର ମନ୍ଦିର ପ୍ରଶାସନ ପକ୍ଷରୁ ତାହାର ଉଚିତ୍ ଜବାବ ଦିଆଯିବ। ୧୯୯୦ ମସିହାଠାରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରି ଆସୁଛି। ଶାସ୍ତ୍ର ଅନୁମୋଦିତ ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଇସ୍କନକୁ ବହୁବାର ପରାମର୍ଶ ଦିଆଯାଇଛି। ତାହାକୁ ଇସ୍କନ ମାନୁ ନଥିବାରୁ ସେ ଇସ୍କନର ଆଉ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ସେ କହିଛନ୍ତି। ଅଦିନିଆ ରଥଯାତ୍ରା ପାଇଁ କେବେ ବି ଇସ୍କନକୁ ଅନୁମତି ଦେଇନଥିବା ଗଜପତି ମହାରାଜ କହିଛନ୍ତି। ସ୍ନାନଯାତ୍ରାରେ ଦ୍ୱୀପ ଲିଭିଯିବା ଅଶୁଭ ସଂକେତ ନୁହେଁ ବୋଲି ଗଜପତି କହିଛନ୍ତି। ଗୁଣ୍ଡିଚା ମନ୍ଦିରର ବିକାଶ ସମ୍ପର୍କରେ ସେ କହିଲେ, ଦୀର୍ଘ ବର୍ଷ ପରେ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଉଛି। ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କ ଜନ୍ମସ୍ଥାନ। ଏହା କୌଣସି ସାଧାରଣ ମନ୍ଦିର ନୁହେଁ। ଭିତର ବେଢ଼ା ଓ ବାହାର ବେଢ଼ାର କିଛି କାର୍ଯ୍ୟ ହୋଇପାରିନାହିଁ। ନୀଳାଦ୍ରିବିଜେ ପରେ ସେସବୁ କାର୍ଯ୍ୟ କରାଯିବ। ଆଗାମୀ ବର୍ଷ ନୂଆ ରୂପରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଦେଖିପାରିବେ ବୋଲି ସେ କହିଛନ୍ତି। ସମସ୍ତଙ୍କ ସହଯୋଗ ରହିଲେ ରଥଯାତ୍ରା ଶୃଙ୍ଖଳିତ ହୋଇପାରିବ ବୋଲି ସେ କହିଛନ୍ତି।






More Stories
୧୨ ଜିଲ୍ଲାରେ ପ୍ରବଳ ବର୍ଷୀବ…..
ଇରାନର ୧୪୦ ସ୍ଥାନକୁ କ୍ଷେପଣାସ୍ତ୍ର ମାଡ଼…..
ନିଶାମୁକ୍ତ ଓଡ଼ିଶା ପାଇଁ ମାଷ୍ଟର ପ୍ଲାନ…..