Report Card Odisha

| Daily Odia News

କମିବ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌,ଋଷିଆ ଦେଲା ଡିସ୍କାଉଣ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌ ଉପରେ ଋଷ ଆକ୍ରମଣ କରିଛି | ଏହା ପରେ ଦେଶରେ ତୈଳଦର ବୃଦ୍ଧି ହୋଇଛି | ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣ କୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶ ଋଷ୍‌ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ପରିସ୍ଥିତିର ସାମ୍ନା କରୁଥିବା ଋଷିଆନ୍‌ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼ ମାତ୍ରାରେ ଡିସ୍କାଉଣ୍ଟ ଦେବାକୁ ଅଫର୍‌ ଦେଉଛନ୍ତି । ଏକ ବାଣିଜ୍ୟ ପତ୍ରିକାର ରିପୋର୍ଟ ମୁତାବକ, ଋଷ୍‌ର ତେଲ କମ୍ପାନୀ ଭାରତକୁ ଅଶୋଧିତ ତୈଳର ଦାମ୍‌ ଠାରୁ ୨୫ରୁ ୨୭ ପ୍ରତିଶତ କମ୍‌ରେ ବିକ୍ରି କରିବାକୁ ଅଫର୍‌ ଦେଉଛନ୍ତି । ୟୁକ୍ରେନ୍‌ ଆକ୍ରମଣକୁ ନେଇ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ସ୍ୱିଫ୍ଟକୁ ଋଷ୍‌ରୁ ହଟାଇ ଦିଆଯାଇଛି । ଯାହା ଫଳରେ ଅନ୍ୟ ଦେଶ ସହ ବ୍ୟବସାୟ କରିବା ଋଷ୍‌ ପାଇଁ କଠିନ ହୋଇପଡ଼ିଛି । ଋଷ୍‌ ସରକାର ଏଥିପାଇଁ ବିକଳ୍ପ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଯଦି ଋଷ୍‌ର ଏହି ପ୍ରୟାସ ସଫଳ ହୁଏ ତେବେ ଭାରତ ସହ ଋଷ୍‌ର ତୈଳ ବ୍ୟାପାର ବୃଦ୍ଧି ହେବ । ଋଷ୍‌ର ସବୁଠାରୁ ବଡ଼ ତୈଳ ବିକ୍ରେତା କମ୍ପାନୀ ରୋସନେଫ୍ଟ ଭାରତକୁ ଅଧିକ ମାତ୍ରାରେ ଅଶୋଧିତ ତୈଳ ରପ୍ତାନୀ କରୁଛି । ଗତ ବର୍ଷ ଡିସେମ୍ୱରରେ ଋଷ୍‌ ଭାରତର ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌କୁ ୨ କୋଟି ଟନ୍‌ ପର୍ଯ୍ୟନ୍ତ ତେଲ ଦେବା ପାଇଁ କଣ୍ଟ୍ରାକ୍ଟ ସ୍ୱାକ୍ଷରିତ କରିଥିଲା। ତେବେ ଋଷ୍‌ ଉପରେ ପ୍ରତିବନ୍ଧକ ଭିତରେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବା ପାଇଁ ଭାରତକୁ ସତର୍କର ସହ ନିଷ୍ପତ୍ତି ନେବାକୁ ପଡ଼ିବ । କାରଣ ଋଷ୍‌ ଠାରୁ ତେଲ କିଣିବାକୁ ଏକ ପ୍ରକାର ଆର୍ଥିକ ସହାୟତା ପ୍ରଦାନ ବୋଲି ଅନ୍ୟ ଦେଶମାନେ ବିଚାର କରିପାରନ୍ତି । ତେଣୁ ଏହା ଭାରତ ପାଇଁ ମଧ୍ୟ ଭାରି ପଡ଼ିପାରେ ।

Breaking News