Report Card Odisha

| Daily Odia News

୧୦୮ ସୁବାସିତ ଗରା ଜଳରେ ମହାପ୍ରଭୁଙ୍କ ସ୍ନାନ ଶେଷ….

ରିପୋର୍ଟ କାର୍ଡ / ପୁରୀ

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିଛନ୍ତି ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା, ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହ କାଳିଆଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କରୋନା କଟକଣାରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ ହୋଇ ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିସାରିଛନ୍ତି ମହାପ୍ରଭୁ। କରୋନା କଟକଣା ପାଇଁ ବିନା ଭକ୍ତରେ ସ୍ନାନଯାତ୍ରା ହେଉଛି। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି। ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ ସହ ସମ୍ପନ୍ନ ହୋଇ। ସାଢ଼େ ୧୦ଟାରେ ଛେରା ପହଁରା ପାଇଁ ସମୟ ଧାର୍ଯ୍ୟ ହୋଇଛି । ତେବେ ଗତବର୍ଷ ଭଳି ଏଥର ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛେରାପହଁରା ପାଇଁ ଗଜପତି ମହାରାଜା ଆସିବେନି। ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ କରିବେ ଛେରାପହଁରା ନୀତି କରିଛନ୍ତି ।ଏହାପରେ ମଧ୍ୟାହ୍ନ ୧୧ଟାରୁ ୧୨ଟା ଭିତରେ ଅନୁଷ୍ଠିତ ହେବ ଠାକୁରଙ୍କ ହାତୀବେଶ ଓ ସନ୍ଧ୍ୟା ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି କରାଯିବ। ସୂଚନା ଅନୁସାରେ -ସେପଟେ ଆଇନଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି । ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳକନ୍ଦିକୁ ସିଲ୍‌ କରି ଦିଆଯାଇଛି । ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ସଂପୂର୍ଣ୍ଣ ନି‌ଷେଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ପୁରୀ ସହରକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ୩୫ ପ୍ଲାଟୁନ ଫୋର୍ସ ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି, ଇନ୍‌ସ୍ପେକ୍ଟର ଆଦି ରାଙ୍କ୍‌ର ୨୩୦ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସହରର ପ୍ରବେଶ ପଥର ଯଥା ମଙ୍ଗଳାଘାଟ, ବାଟଗାଁ, ମାଳତୀପାଟପୁର, ଗ୍ରିଡ୍‌ ଷ୍ଟେସନ୍‌, ତୋଷାଲି ସ୍ୟାଣ୍ଡ୍‌ ଛକକୁ ସିଲ୍‌ କରାଯାଇଛି । ୧୬ଟି ଆଉର୍ଟ କର୍ଡନ୍‌, ୪୩ଟି ମିଡିଲ୍‌ କର୍ଡନ୍‌ ଓ ୧୬ଟି ଇର୍ନ କର୍ଡନ୍‌ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରବେଶ ପଥରେ ବାରିକେଡ୍‌ ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

Breaking News