Report Card Odisha

| Daily Odia News

ଖରା ଛୁଟିରେ ଖୋଲା ରହିବ ବିଦ୍ୟାଳୟ କାର୍ଯ୍ୟାଳୟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ ୨୭ରୁ ସମସ୍ତ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖରା ଛୁଟି ସମୟରେ ବିଦ୍ୟାଳୟର ପରିଚାଳନା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ‘ହଲିଡେ ହୋମ୍‌ୱାର୍କ’ ପ୍ରସ୍ତୁତ କରାଯାଇଛି, ଯାହାକୁ ପ୍ରଧାନଶିକ୍ଷକଙ୍କ ଜରିଆରେ ସମସ୍ତଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ନିଜ ବିଷୟଗତ ଖାତାରେ ଏହି ଗୃହକାର୍ଯ୍ୟ କରିବେ। କୌଣସି ପ୍ରକାର ଶିକ୍ଷାଗତ ସହାୟତା ପାଇଁ ସେମାନେ ଟେଲିଫୋନ୍ ମାଧ୍ୟମରେ ନିଜ ଶ୍ରେଣୀ ଶିକ୍ଷକ କିମ୍ବା ବିଷୟ ଶିକ୍ଷକଙ୍କ ସହ ଯୋଗାଯୋଗ କରିପାରିବେ। ଶିକ୍ଷକମାନେ ନିୟମିତ ଭାବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କରେ ରହି ଶିକ୍ଷାଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ।ଛୁଟି ସମୟରେ ନାମଲେଖା ପ୍ରକ୍ରିୟା ଜାରି ରହିଥିବାରୁ ବିଦ୍ୟାଳୟ କାର୍ଯ୍ୟାଳୟ ଖୋଲା ରହିବ। ଏଥିପାଇଁ ଶିକ୍ଷକ, କନିଷ୍ଠ ସହାୟକ ଏବଂ ପିଅନଙ୍କୁ ନେଇ ଏକ ‘ରୋଷ୍ଟର ଡ୍ୟୁଟି’ ତାଲିକା ପ୍ରସ୍ତୁତ କରାଯିବ। ସ୍କୁଲର ସମ୍ପତ୍ତି ଯଥା- ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି, ବିଜ୍ଞାନାଗାର ଏବଂ ପାନୀୟ ଜଳ ଉତ୍ସଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଉପରେ ନ୍ୟସ୍ତ ରହିବ। କାଳବୈଶାଖୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନଶିକ୍ଷକ ଓ ରୋଷ୍ଟର ଷ୍ଟାଫ୍ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସ୍କୁଲ୍ ପୁନଃ ଖୋଲିବାର ଦିନକ ପୂର୍ବରୁ ସମ୍ପୂର୍ଣ୍ଣ କ୍ୟାମ୍ପସର ପରିମଳ ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ସମସ୍ତ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Breaking News