Report Card Odisha

| Daily Odia News

ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶେଷ ସଂଶୋଧନ ପ୍ରକ୍ରିୟା। ଶୁକ୍ରବାର ଏନେଇ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସୂଚନା ଅନୁସାରେ, ୨୦୨୪ ଜାନୁଆରୀ ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାଭୁକ୍ତ ହୋଇପାରିବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଆବେଦନ ହୋଇପାରିବ। ଚଳିତ ବର୍ଷ ଡିସେମ୍ବର ୯ ଯାଏ ଆବେଦନ କରିପାରିବେ ଭୋଟର। ଅଧିକ ସହାୟତା ପାଇଁ ୧୯୫୦କୁ କଲ କରିପାରିବେ। ଫର୍ମ ୬ରେ ନୂଆ ଆବେଦନ, ଫର୍ମ ୭ରେ ନାମ ଯୋଗ ଓ ବିଯୋଗ କରିହେବ। ସେହିପରି ଫର୍ମ ୮ରେ ତ୍ରୁଟି ସଂଶୋଧନ ହୋଇପାରିବ। ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥସ୍ତରୀୟ ଅଧିକାରୀଙ୍କୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ରାଜ୍ୟରେ ଭୋଟର ଓ ବୁଥ ସଂଖ୍ୟା ବଢିଛି। ରାଜ୍ୟରେ ୩ଲକ୍ଷ ୩ହଜାର ୯୪ ନୂଆ ଭୋଟର ଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୩କୋଟି ୬ଲକ୍ଷ ୫୫ହଜାର ୨୧୩ ହୋଇଛି। ସେହିପରି ରାଜ୍ୟରେ ମୋଟ ବୁଥ ସଂଖ୍ୟା ୩୭ହଜାର ୮୦୯ ହୋଇଛି। ପୂର୍ବରୁ ୩୭ହଜାର ୬୦୬ ବୁଥ୍ ଥିଲା।

Breaking News