ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଗୁରୁବାରଠାରୁ ଲାଗୁ ହୋଇଛି ପୋଷାକ କଟକଣା। ପାରମ୍ପରିକ ପୋଷାକରେ ଭିତରକାଠ ଠାରୁ ରତ୍ନସିଂହାସନ ପର୍ଯ୍ୟନ୍ତ ଯାତାୟାତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଛତିଶା ନିଯୋଗ ବୈଠକରେ ଗୃହୀତ ନିଷ୍ପତ୍ତିକୁ ଭିତ୍ତିକରି ପ୍ରଥମେ ସେବାୟତଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛି ମନ୍ଦିର ପ୍ରଶାସନ। କଟକଣା ପାଳନର ପ୍ରଥମ ଦିନ କୌଣସି ସେବାୟତ ଏହାକୁ ଉଲ୍ଲଙ୍ଘନ କରିନଥିବା ଜଣାପଡିଛି। ଦୀପାବଳି ଅମାବାସ୍ୟା ପରଦିନଠାରୁ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ପାଇଁ ଏଭଳି ପୋଷାକ କଟକଣା ଲାଗୁ କରାଯିବ। କେତେକ ସେବାୟତ ଏବଂ କର୍ମଚାରୀ ସାର୍ଟପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିର ଭିତରକାଠ ସମେତ ଗର୍ଭଗୃହରେ ଚଳପ୍ରଚଳ କରୁଥିବାରୁ ତାହାର ଖରାପ ପ୍ରଭାବ ଦର୍ଶନାର୍ଥୀ ଭକ୍ତଙ୍କ ଉପରେ ପଡୁଥିବା ଅଭିଯୋଗ ହୋଇଥିଲା। ତେଣୁ ଶ୍ରୀମନ୍ଦିରରେ ସେବାୟତ, କର୍ମଚାରୀ ଏବଂ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ପୋଷାକ କଟକଣା ଲାଗୁ ନିମନ୍ତେ ଦୀର୍ଘଦିନ ଧରି ଦାବିହୋଇ ଆସୁଥିଲା। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଥମେ ସେବାୟତ ଓ କର୍ମଚାରୀଙ୍କ ପାଇଁ ଏହି କଟକଣା ଲାଗୁ କରାଯିବାକୁ ସେଥିରେ ମତ ପ୍ରକାଶ ପାଇଥିଲା। ତାହାକୁ ଭିତ୍ତିକରି ଗୁରୁବାର ପାଳିଆ ସେବାୟତମାନେ ପାଟମଠା ପିନ୍ଧି ଶ୍ରୀମନ୍ଦିରକୁ ଯାଇଥିବା ଦେଖିବାକୁ ମିଳିଛି। ଏହାପରେ ଭକ୍ତଙ୍କ ପାଇଁ ପୋଷାକ କଟକଣା ଲାଗୁ କରାଯିବା ସମ୍ଭାବନା ରହିଛି।






More Stories
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..