ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲଣ୍ଡନରେ ଚାଲିଥିବା ଜି-୭ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଆଶା ଅନୁରୂପ ଏହି ମନ୍ଥନରେ ଦୁନିଆ ପାଇଁ ଭ୍ୟାକ୍ସିନ ଉପହାର ବାହାରିଥିବା ବେଳେ ବିଶ୍ୱକୁ ମହାମାରୀ ଭିତରକୁ ଠେଲିଥିବା ଚୀନର ଚିନ୍ତା ବଢାଇ ଦିଆଯାଇଛି। କରୋନାର ଉତ୍ପତ୍ତି ସ୍ଥଳର ପୁନଃଯାଞ୍ଚ, ଡ୍ରାଗନର ଆର୍ଥିକ ନୀତିକୁ ଚ୍ୟାଲେଞ୍ଜ କରିବା ଏବଂ ମାନବାଧିକାରର ଉଲ୍ଲଂଘନ ଉପରେ ରୋକ୍ ଲଗାଇବା ପାଇଁ ଜି-୭ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜି-୭ ଦେଶରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ଆମେରିକା ଓ ବ୍ରିଟେନ୍ ରହିଛି। ଏହି ମଞ୍ଚରେ ଭାରତକୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା । ଏହି ସମ୍ମିଳନୀରେ ମୋଦୀ ସମ୍ବୋଧନକରି କହିଛନ୍ତି ଯେ ଜି-୭ ରାଷ୍ଟ୍ରଗୋଷ୍ଠୀ ଭାରତର ସ୍ବାଭାବିକ ବନ୍ଧୁ। ଏହି ରାଷ୍ଟ୍ରଗୁଡିକର ସାଧାରଣ ମୂଲ୍ୟବୋଧ ଓ ଉଦ୍ବେଗକୁ ଭାରତ ସମ୍ମାନ ଜଣାଏ। ଭାରତର ସଭ୍ୟତା ହେଉଛି ଗଣତନ୍ତ୍ର ଓ ସ୍ବାଧୀନତାକୁ ସମ୍ମାନ ଜଣାଇବା । ଅନ୍ୟପଟେ ଏକଛତ୍ରବାଦ, ଆତଙ୍କବାଦ ଓ ବିଚ୍ଛିନ୍ନତାବାଦକୁ ଭାରତ ବିରୋଧ କରିଥାଏ। ମୋଦୀଙ୍କ ଅଭିଭାଷଣ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଦୀ ତାଙ୍କ ଭାଷଣରେ ବିଶ୍ବରେ କରୋନା ଟିକାକରଣ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। କରୋନା ମହାମାରୀ ସମୟରେ ସାରା ବିଶ୍ବରେ ଟିକା ଓ ଔଷଧ ପହଞ୍ଚାଇବା ଲାଗି ବାଣିଜ୍ୟ ସମ୍ପର୍କିତ ଟ୍ରିପ୍ସ ବୁଝାମଣାର ନିୟମ କୋହଳ କରିବାକୁ ମୋଦୀ ନିବେଦନ କରିଛନ୍ତି। ଟ୍ରିପ୍ସ୍ର ନିୟମରେ କୋହଳତା ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଅନ୍ୟ ସହଯୋଗୀ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ସହିତ ଆଲୋଚନା କରାଯାଇଥିବା ମୋଦୀ କହିଛନ୍ତି। ଟ୍ରିପ୍ସ ନିୟମରେ କୋହଳତା ପାଇଁ ମୋଦୀ ଜି-୭ ରାଷ୍ଟ୍ର ନେତାଙ୍କ ସହଯୋଗ ଲୋଡିଛନ୍ତି। ଡବ୍ଲ୍ୟୁଟିଓ ମହାନିନିର୍ଦ୍ଦେଶକ ଓ ଜାତିସଂଘ ମହାସଚିବ ମୋଦୀଙ୍କ ଏହି ସହଯୋଗକୁ ସମର୍ଥନ କରିଛନ୍ତି। ସେମାନେ କହିଛନ୍ତି ଯେ ବିଶ୍ବ କରୋନା ଟିକାକରଣ କ୍ଷେତ୍ରରେ ଟ୍ରିପ୍ସ ଛାଡ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏହାଦ୍ବାରା ବିଶ୍ବରେ ଟିକା ଉତ୍ପାଦନ ଦ୍ବିଗୁଣିତ ହୋଇପାରିବ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମୋଦୀଙ୍କ ଏହି ଆହ୍ବାନକୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସେରିଲ୍ ରାମଫୋସା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସମର୍ଥନ କରିଛନ୍ତି।
More Stories
ବାଳକ ଗାଲରେ ଷ୍ଟିଚ୍ ବଦଳରେ ଲଗାଇଦେଲେ ଫେଭିକ୍ଵିକ୍…..
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..