Report Card Odisha

| Daily Odia News

ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ବାଣ୍ଟିଲା ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ଛାପି ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଛି। ମିଳିଥିବା ସୂଚନା ଅନୁସାରେ- ଫେବୃଆରୀ ୨୮ ଅପରାହ୍ଣରେ ସୁପ୍ରିମକୋର୍ଟ ବାର ଆସୋସିଏସନ ଦ୍ୱାରା ପ୍ରଧାନ ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ବିଚାରପତି ଅଗସ୍ତିନ ଜର୍ଜ ମସିହ, ବିଚାରପତି ସନ୍ଦୀପ ମେହେତା ଏବଂ ବିଚାରପତି ପ୍ରସନ୍ନ ଭାଲଚନ୍ଦ୍ର ବରାଲେଙ୍କ ସମ୍ମାନାର୍ଥେ ଅଭିନନ୍ଦନ ସମାରୋହ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମସ୍ତ ସଦସ୍ୟଙ୍କୁ ଇଂରାଜୀ ଓ ହିନ୍ଦୀ ଭାଷା ସମେତ ଅଧିକାଂଶ ଭାରତୀୟ ଆଞ୍ଚଳିକ ଭାଷାରେ ବାର ଆସୋସିଏସନ ସମ୍ପାଦକ ନିମନ୍ତ୍ରଣ ପତ୍ର ଦେଇଥିଲେ, ମାତ୍ର ଏଥିରେ ଓଡ଼ିଆ ଭାଷାକୁ ସାମିଲ କରାଯାଇନଥିଲା। ଓଡ଼ିଆ ଭାଷା ପ୍ରତି ଅସମ୍ମାନକୁ ପ୍ରଥମେ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ବିରୋଧ କରି ତ୍ରୁଟି ସୁଧାରିବାକୁ ସମ୍ପାଦକ ରୋହିତ ପାଣ୍ଡେଙ୍କୁ ନିବେଦନ କରିଥିଲେ। ଆଡ଼ଭୋକେଟ-ଅନ-ରେକର୍ଡ ସୁଧାଂଶୁ ପାଳ ଏବଂ ଆଇନଜୀବୀ ପ୍ରଶାନ୍ତ ବର୍ମା ମଧ୍ୟ ତୁରନ୍ତ ତ୍ରୁଟି ସୁଧାରି ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ଛାପି ଏହାକୁ ସମସ୍ତ ସଦସ୍ୟଙ୍କ ମଧ୍ୟରେ ବାଣ୍ଟିବାକୁ ପରାମର୍ଶ ଦେଇଥିଲେ। ଆଇନଜୀବୀ ସୁଧାଂଶୁ ପାଳଙ୍କ ପ୍ରଚେଷ୍ଟା ଯୋଗୁଁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଦ୍ୱାରା ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଥିଲା।

Breaking News