ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ୯ ବିଚାରପତି ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି | ବିଚାରପତିଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କରୋନା ନିୟମ ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶପଥ ଗ୍ରହଣ ସମାରୋହ ସୁପ୍ରିମକୋର୍ଟ ଭବନ ପରିସରରେ ହୋଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଜଜ୍ ରହିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବି.ଭି ନାଗରତ୍ନ ଏହି ୯ ଜଣିଆ ତାଲିକାରେ ଅଛନ୍ତି, ଯିଏ ଭବିଷ୍ୟତରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ତେବେ ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ। ଏମାନଙ୍କ ବ୍ୟତୀତ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଏସ୍ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର, ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମଏମ ସୁନ୍ଦରେଶ ଓ ବରିଷ୍ଠ ଆଇନଜୀବୀ ପିଏସ ନରସିମା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି | ସୂଚନା ଅନୁସାରେ-ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ନିଯୁକ୍ତ ହୋଇପାରିବେ। ୯ ଜଣ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩କୁ ବୃଦ୍ଧି ଘଟିବ। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ଜଜଙ୍କ ସଂଖ୍ୟା ୩୪ ହେଉଥିବା ବେଳେ ସୁପ୍ରିମକୋର୍ଟରେ କେବଳ ଗୋଟିଏ ପଦ ଖାଲି ରହିବ।
Discussion about this post