Report Card Odisha

| Daily Odia News

୧୦ ବର୍ଷ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ସମ୍ଭବ ନୁହେଁ:ସୁଶୀଲ କୁମାର ମୋଦୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗାମୀ ୮/୧୦ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ସମ୍ଭବ ନୁହେଁ ବୋଲି ଆଜି ବିଜେପି ସାଂସଦ ସୁଶୀଲ କୁମାର ମୋଦୀ କହିଛନ୍ତି। ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ଲାଗି ରାଜ୍ୟଗୁଡ଼ିକ ପ୍ରସ୍ତାବ ଆଣିବା ପରେ ସରକାର ଏ ଦିଗରେ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଗତ ମଙ୍ଗଳବାର ସଂସଦରେ ଆର୍ଥିକ ବିଲ୍‌-୨୦୨୧ ଉପରେ ଆଲୋଚନା ସମୟରେ ସେ ଏହା କହିଥିଲେ। ସୁଶୀଲ ମୋଦୀ ରାଜ୍ୟସଭାରେ କହିଛନ୍ତି ଯେ, ପେଟ୍ରୋଲ-ଡିଜେଲରେ ୬୦ ଟଙ୍କାର ଟିକସ ରହୁଛି। ସେଥିରେ ୩୫ ଟଙ୍କା କେନ୍ଦ୍ର ଏବଂ ୨୫ ଟଙ୍କା ରାଜ୍ୟ ସରକାରଙ୍କର। କେବଳ ଏତିକି ନୁହେଁ, କେନ୍ଦ୍ରର ୩୫ ଟଙ୍କା ମଧ୍ୟରୁ ୪୨% ରାଜ୍ୟ ସରକାରଙ୍କ ନିକଟକୁ ଯାଇଥାଏ। ସୁଶୀଲ ମୋଦୀ ଆହୁରି କହିଥିଲେ ଯେ, ସେ ଜିଏସଟି ପରିଷଦ ସହିତ ଜଡ଼ିତ ରହିଛନ୍ତି। ଅଧିକାଂଶ ସମୟରେ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା କଥା କୁହାଯାଇଥାଏ। ସେ ସଂସଦରୁ ଜାଣିବାକୁ ଚାହୁଁଛନ୍ତି ଯେ, ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ଅଧୀନକୁ ଅଣଯାଏ, ତେବେ ରାଜ୍ୟଗୁଡ଼ିକର ହେବାକୁ ଥିବା ୨ ଲକ୍ଷ କୋଟି ଟଙ୍କାର କ୍ଷତିର ଭରଣା କେଉଁଠୁ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ଉଭୟ ମିଶି ପେଟ୍ରୋଲ ଓ ଡିଜେଲରୁ ବାର୍ଷିକ ୫ ଲକ୍ଷ କୋଟି ଟଙ୍କା ରାଜସ୍ବ ହାସଲ କରୁଛନ୍ତି। ତାହାର ଭରଣା କେଉଁଠୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଜିଏସଟିରେ ସର୍ବାଧିକ ୨୮% ଟିକସ ସ୍ଲାବ ରହିଛି। ଏବେ ପେଟ୍ରୋଲ ଓ ଡିଜେଲରେ ୬୦% ଟିକସ ନିଆଯାଉଛି। ତେଣୁ ଏହାକୁ ଜିଏସଟିକୁ ଆଣିଲେ ବାର୍ଷିକ ଯେଉଁ ଦୁଇରୁ ଅଢ଼େଇ ଲକ୍ଷ କୋଟି ଟଙ୍କା କ୍ଷତି ହେବ ତାହା କେଉଁଠୁ ଭରଣା କରାଯିବ। ତେଣୁ ଏହି ଦୁଇଟି ଉତ୍ପାଦକୁ ଜିଏସଟି ଅଧୀନକୁ ଆଣିବା ଆଗାମୀ ୮/୧୦ ବର୍ଷ ପର୍ଯ୍ୟନ୍ତ ସମ୍ଭବ ନୁହେଁ। କଂଗ୍ରେସ କ୍ଷମତାସୀନ ରାଜ୍ୟ ସରକାର କିମ୍ବା ବିଜେପି କ୍ଷମତାସୀନ ରାଜ୍ୟ ସରକାର ଏଥିପାଇଁ କେବେ ବି ପ୍ରସ୍ତୁତ ହେବେ ନାହିଁ ବୋଲି ସେ କହିଛନ୍ତି।

Breaking News