Report Card Odisha

| Daily Odia News

ବିଜେପିରୁ ନିଲମ୍ବିତ ହୋଇ ଟିଏମସିରେ ମିଶିଲେ ଜୟ ପ୍ରକାଶ ମଜୁମଦାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାନୁଆରୀ ମାସରେ ବିଜେପିରୁ ନିଲମ୍ବିତ ହୋଇଥିବା ଜୟ ପ୍ରକାଶ ମଜୁମଦାର ଆଜି ଟିଏମସିରେ ଯୋଗଦେଇଛନ୍ତି । କୋଲକାତାରେ ଥିବା ନଜରୁଲ ମଞ୍ଚାରେ ଆୟୋଜିତ ବୈଠକରେ ତାଙ୍କୁ ବିଧିବଦ୍ଧ ଭାବେ ଟିଏମସିକୁ ସ୍ୱାଗତ କରାଯାଇଛି। ଏହି ମିଶ୍ରଣ ପର୍ବରେ ଟିଏମସିର ଅନେକ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। କିଛି ଦିନ ତଳେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ବ୍ୟକ୍ତିଗତ ଭାବେ ଜୟ ପ୍ରକାଶ ଓ ରିତେଶ ତିୱାରୀଙ୍କୁ ଭେଟିଥିଲେ। ଏମାନେ ଦଳୀୟ ନେତୃତ୍ୱକୁ ନେଇ ଖୁସି ନଥିବା ନେଇ କହିଥିଲେ। ତେଣୁ ସେମାନଙ୍କୁ ବୁଝାଇବାକୁ ଲକେଟ ଚାଟାର୍ଜୀ ପ୍ରୟାସ କରିଥିଲେ। ତେବେ ଏହାର କିଛି ଦିନ ପରେ ଜୟ ପ୍ରକାଶ ଟିଏମସିରେ ମିଶି ବିଜେପିକୁ ଶକ୍ତ ଝଟକା ଦେଇଛନ୍ତି। ୨୦୧୪ରେ କଂଗ୍ରେସ ଛାଡ଼ି ଜୟ ପ୍ରକାଶ ବିଜେପିରେ ମିଶିଥିଲେ। ନିଲମ୍ବିତ ହେବା ଯାଏ ସେ ବିଜେପିର ମୁଖପାତ୍ର ଭାବେ କାମ କରୁଥିଲେ। କିନ୍ତୁ ଦଳୀୟ ନୀତିକୁ ସେ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିବାରୁ ତାଙ୍କୁ ଜାନୁଆରୀ ମାସରେ ବିଜେପି ନିଲମ୍ବିତ କରିଥିଲା।

ନିଲମ୍ବିତ ହେବା ପରେ ଜୟ ପ୍ରକାଶ ବିଜେପିର କେନ୍ଦ୍ରୀୟ ନେତାମାନଙ୍କୁ ସର୍ବସମ୍ମୁଖରେ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, “ବେଙ୍ଗଲ ବିଧାନସଭା ନିର୍ବାଚନ ବେଳେ କେନ୍ଦ୍ରୀୟ ନେତମାନଙ୍କୁ ଟିକିନିକି ଖବର ମୁଁ ହିଁ ଦେଉଥିଲି। କିନ୍ତୁ କିଛି କେନ୍ଦ୍ରୀୟ ନେତା ଦଳର ବେଙ୍ଗଲ ବ୍ରିଗେଡକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହା ଠିକ ନୁହେଁ ବୋଲି ମୁଁ ସେମାନଙ୍କୁ କହିଥିଲି। ହେଲେ ସେମାନେ କିଛି ବି ଶୁଣି ନଥିଲେ। ନିର୍ବାଚନ ରେଜଲ୍ଟ ଘୋଷଣା ପରେ କ’ଣ ସବୁ ହେଲା ସମସ୍ତେ ଜାଣିଛନ୍ତି। ୨୦୨୧ ମେ’ ୨ ତାରିଖ ଦିନ ୧୨ଟା ପରେ କେନ୍ଦ୍ରୀୟ ନେତାମାନେ ଦିଲ୍ଲୀ ଯିବାକୁ ଟିକେଟ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ ଅନେକ ବିଜେପି କର୍ମୀଙ୍କୁ ଆକ୍ରମଣ କରାଗଲା। କିନ୍ତୁ ସେମାନଙ୍କ ପଛରେ ଛିଡ଼ା ହେବାକୁ କେହି ବି ନଥିଲେ।”

Breaking News