ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ଦଳର ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦଳ ମନୋନୀତ କରିଛି । ସରକାରରେ ଜଣେ ମାତ୍ର ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ହେବ। ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସମଭାବାପନ୍ନ ଦଳର ନେତା ଓ ବିଜେପି ବିରୋଧୀ ସରକାରର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସିଦ୍ଧରମୈୟା ପୂର୍ଣ୍ଣ ୫ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଶିବକୁମାର ଜଣେ ମାତ୍ର ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନଙ୍କ ମଧ୍ୟରେ କୌଣସି କ୍ଷମତା ଆବଣ୍ଟନ କିମ୍ବା ପାଳି ସମ୍ପର୍କିତ ବୁଝାମଣା ହୋଇନାହିଁ । ସିଦ୍ଧରମୈୟା ଜଣେ ବରିଷ୍ଠ ଓ ଅଭିଜ୍ଞ ନେତା । ତାଙ୍କର ପ୍ରଶାସନିକ ଦକ୍ଷତା ରହିଥିବାରୁ ମୁଖ୍ୟମନ୍ତ୍ରୀ ମନୋନୀତ କରାଯାଇଛି । ଦୃଢ଼ ସଂଗଠକ ଶିବକୁମାର ଦଳୀୟ ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ଦଳର ପ୍ରଦେଶ ସଭାପତି ଦାୟିତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି। କର୍ଣ୍ଣାଟକର ଭବିଷ୍ୟତ ସୁରକ୍ଷା ଓ ଲୋକଙ୍କ କଲ୍ୟାଣ ହିଁ ସେମାନଙ୍କର ଧ୍ୟେୟ ବୋଲି ସିଦ୍ଧରମୈୟା ଓ ଶିବକୁମାର କହିଥିଲେ। ଏହି ଘୋଷଣା ପରେ ସିଦ୍ଧରମୈୟା ବେଙ୍ଗାଲୁରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ତାଙ୍କୁ ବିଧିବଦ୍ଧ ଭାବେ ନେତା ନିର୍ବାଚିତ କରାଯାଇଥିଲା। ଶିବକୁମାରଙ୍କୁ ପ୍ରାୟ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ମିଳିବ ବୋଲି ସୂଚନା ମିଳିଛି। ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି । ଉତ୍ସବରେ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜସ୍ଥାନର ଅଶୋକ ଗହଲୋତ, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ, ଝାଡ଼ଖଣ୍ଡର ହେମନ୍ତ ସୋରେନ, ତାମିଳନାଡୁର ଏମ୍.କେ ଷ୍ଟାଲିନ, ତେଲଙ୍ଗାନାର କେ. ଚନ୍ଦ୍ରଶେଖର ରାଓ, ବିହାରର ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଏନ୍ସିପି ମୁଖ୍ୟ ଶରଦ ପୱାର, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା କୁହାଯାଉଛି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..