Report Card Odisha

| Daily Odia News

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର,ଆତଙ୍କୀ ନିପାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷାବାହିନୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଦିନକ ପୂର୍ବରୁ ଏଠାରେ ୩ ଯବାନ ଶହୀଦ ହୋଇଥିଲେ। ସୁରକ୍ଷାବାହିନୀ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଜଣେ ଆତଙ୍କୀକୁ ନିପାତ କରିଛନ୍ତି। ରଜୌରୀ ଜିଲ୍ଲାର ବୁଦ୍ଧଲ ଅଞ୍ଚଳର ଗୁଦ୍ଧ-ଖୱାସ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ସେନାର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଏନକାଉଣ୍ଟର ଖୁବ୍ କଷ୍ଟଦାୟକ ଥିଲା। କାରଣ ଉକ୍ତ ଅଞ୍ଚଳ ଜଙ୍ଗଲ-ପାହାଡରେ ଆଚ୍ଛନ୍ନ ଥିଲା। ରାଷ୍ଟ୍ରିୟ ରାଇଫଲ୍ସର ଏକ ଅତିରିକ୍ତ ସୈନ୍ୟବାହିନୀ ଏକତ୍ରିତ ହୋଇ ସେଠାରେ ଯାଇ ପହଞ୍ଚିଥିଲେ। ବାୟୁସେନା ହେଲିକପ୍ଟର ସାହାଯ୍ୟରେ ସ୍ୱତନ୍ତ୍ର ବାହିନୀ ସେଠାକୁ ଯାଇଥିଲେ। ଏହି ଅପରେସନରେ ଉଚ୍ଚମାନର ଯନ୍ତ୍ରକୌଶଳ ବ୍ୟବହାର କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ତିନି ଜଣ ଯବାନ ଶହୀଦ ହୋଇଥିଲେ। ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ହଲାନ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ହମଲା କରିଥିଲେ ଆତଙ୍କବାଦୀ। ଏଥିରେ ୩ ଜଣ ଯବାନ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ଜୀବନ ଚାଲିଯାଇଛି।

Breaking News