ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବହୁଚର୍ଚ୍ଚିତ ସ୍କୁଲ ପାଠ୍ୟପୁସ୍ତକ ବିଭ୍ରାଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖି କ୍ରାଇମବ୍ରାଞ୍ଚ ପଚରାଉଚରା କରୁଛି। DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଦଳ ବହି ଛପା ପ୍ରକ୍ରିୟା, ଅନୁମୋଦନ ଓ ତ୍ରୁଟିର କାରଣ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ କରୁଥିବା ସୂଚନା ମିଳିଛି।ମନୋଜ ପାଢ଼ୀ SCERT ନିର୍ଦ୍ଦେଶକ ଥିବା ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତ ଓ ମୁଦ୍ରଣ କରାଯାଇଥିଲା। ତେଣୁ ବହିରେ ଦୁଇ ହଜାରରୁ ଅଧିକ ଭାଷାଗତ ଓ ତଥ୍ୟଗତ ତ୍ରୁଟି କିପରି ରହିଗଲା, ଏହା ପଛରେ କାହାର ଅବହେଳା କିମ୍ବା ଷଡ଼ଯନ୍ତ୍ର ଥିଲା କି ନାହିଁ, ସେ ନେଇ ତଦନ୍ତ ଚାଲିଛି। ତଦନ୍ତକାରୀ ସଂସ୍ଥା ବହି ପ୍ରକାଶ ପୂର୍ବରୁ ଯାଞ୍ଚ ଓ ଅନୁମୋଦନ ପ୍ରକ୍ରିୟା କେତେ ଠିକ୍ ଭାବେ ପାଳନ ହୋଇଥିଲା, ସେଥିରେ ମଧ୍ୟ ଗୁରୁତ୍ୱ ଦେଉଛି।ପୂର୍ବରୁ ଏହି ମାମଲାରେ ମନୋଜ ପାଢ଼ୀଙ୍କୁ ନିଲମ୍ବନ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବାରୁ ତାଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିଥିବା ଚର୍ଚ୍ଚା ହେଉଛି। ତଦନ୍ତରେ ମିଳୁଥିବା ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଗାମୀ ଦିନରେ ବଡ଼ ପଦକ୍ଷେପ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଷଡ଼ଯନ୍ତ୍ରର ସନ୍ଦେହ ପ୍ରକାଶ କରିଥିଲେ। ପରେ ସେ ସମଗ୍ର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ବର୍ତ୍ତମାନର SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି। ତଦନ୍ତ ପରିସରରେ ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଓ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ଜଡ଼ିତ ଅଧିକାରୀ ଓ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ଆନ୍ଧ୍ରପ୍ରଦେଶରେ କୋଭିଡ ଆତଙ୍କ; ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ…..
ଆଜି ନବଯୌବନ ଦର୍ଶନ…..