ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଦାନ ଅର୍ଥ ଚୋରି ଓ ହେରଫେର ଘଟଣାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ଏହାର ପ୍ରତିକ୍ରିୟା ପ୍ରକାଶ କରିଛି। ଶୁକ୍ରବାର ଆରଏସଏସର ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଦତ୍ତାତ୍ରେୟ ହୋସବଲେ କହିଛନ୍ତି ଯେ, କୋଟି କୋଟି ରାମଭକ୍ତଙ୍କ ବର୍ଷ ବର୍ଷର ସଂଘର୍ଷ, ତ୍ୟାଗ ଓ ବଳିଦାନ ପରେ ଏହି ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। ଏଭଳି ପରିସ୍ଥିତିରେ ମନ୍ଦିରର ଦାନ ବାକ୍ସରୁ ଚୋରି ହେବା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣା ସମଗ୍ର ହିନ୍ଦୁ ସମାଜ ଓ ରାମଭକ୍ତଙ୍କ ଆସ୍ଥାକୁ ଗଭୀର ଆଘାତ ଦେଇଛି ଏବଂ ଏହା ସମସ୍ତଙ୍କୁ ମର୍ମାହତ ତଥା କ୍ରୋଧିତ କରିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତର ପ୍ରଦେଶ ସରକାର ଏହି ମାମଲାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଛନ୍ତି। ଏହି ତଦନ୍ତରେ ଯେଉଁମାନେ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ୍। ଏହି ଘଟଣାକୁ ଏକ ‘ଅସାଧାରଣ ବ୍ୟତିକ୍ରମ’ ଭାବେ ଗ୍ରହଣ କରି ମନ୍ଦିର ପ୍ରଶାସନ ଓ ଆର୍ଥିକ ପରିଚାଳନାଗତ ତ୍ରୁଟିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ସୁଧାରିବାକୁ ସଂଘ ପକ୍ଷରୁ ଟ୍ରଷ୍ଟକୁ କୁହାଯାଇଛି। ସ୍ୱଚ୍ଛ ଓ ସୁଦୃଢ଼ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ବିଶ୍ୱାସକୁ ଆହୁରି ମଜଭୁତ କରିବାକୁ ହୋସବଲେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଚାଲିଥିବା ଏହି ବିବାଦୀୟ ସ୍ଥିତିରେ ସମଗ୍ର ହିନ୍ଦୁ ସମାଜକୁ ଧୈର୍ଯ୍ୟ ଓ ସଂଯମତା ରକ୍ଷା କରିବାକୁ ଆରଏସଏସ ନିବେଦନ କରିଛି। ଏହି ଦୁର୍ଭାଗ୍ୟଜନକ ଘଟଣାର ଫାଇଦା ଉଠାଇ ହିନ୍ଦୁ ଧର୍ମ ଏବଂ ସମାଜକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ହିନ୍ଦୁ-ବିରୋଧୀ ଓ ଦେଶ-ବିରୋଧୀ ଶକ୍ତିଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଜୁନ୍ ମାସରେ ରାମ ମନ୍ଦିରର ଦାନ ଅର୍ଥ ହେରଫେର ମାମଲା ସାମ୍ନାକୁ ଆସିବା ପରେ ଏସଆଇଟି ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ ୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ନେଇଥିବାବେଳେ ଏବେ ମନ୍ଦିର ଦାନ ଅର୍ଥ ଚୋରି ଘଟଣାରେ ନିଜର ନିରବତା ଭାଙ୍ଗିବା ଦରକାର। ମନ୍ଦିର ନିର୍ମାଣ ପାଇଁ ଦେଶବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା ୧୪୦୦ କୋଟି ଟଙ୍କାର ଚାନ୍ଦା ଅର୍ଥର ହିସାବ ସାର୍ବଜନୀନ କରିବାକୁ କଂଗ୍ରେସ ଦାବି କରିଛି। ଏହା ପୂର୍ବରୁ କଂଗ୍ରେସ ଏହି ଚୋରି ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରିବାକୁ ଦାବି କରିଥିଲା।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..
୨୩ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର…..