ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ପବିତ୍ର କୈଳାସ ମାନସରୋବର ଯାତ୍ରାର ଶୁଭାରମ୍ଭ ହୋଇଛି। ଶନିବାର ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ନାଥୁ ଲା ପାସ୍ (ଗିରିପଥ)ରେ ଭାରତ-ଚୀନ୍ ସୀମା ଦେଇ ଚୀନ୍ରେ ପ୍ରବେଶ କରିଛନ୍ତି। ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳକୁ ସିକ୍କିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ପତାକା ଦେଖାଇ ବିଦାୟ ଦେଇଥିଲେ। ଏହି ଅବସରରେ ସକ୍କିମ ପର୍ଯ୍ୟଟନ ମନ୍ତ୍ରୀ ସେରିଂ ଟି ଭୁଟିଆ ଓ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ଦଳରେ ୪୪ ଜଣ ତୀର୍ଥଯାତ୍ରୀ ଅଛନ୍ତି, ଯେଉଁଥିରେ ଚାରି ଜଣ ଲିଆଜନ ଅଧିକାରୀ ଓ ଜଣେ ମେଡିକାଲ ଅଧିକାରୀ ଅଛନ୍ତି।ଏହି ଦଳରେ ୩୨ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି ଯେଉଁମାନେ ବିହାର, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି। କୈଳାସ ମାନସରୋବର ଯାତ୍ରା ଆରମ୍ଭ ପୂର୍ବରୁ ସିକ୍କିମ ମୁଖ୍ୟ ସଚିବ ଆର୍ ତେଲାଙ୍ଗ ସ୍ଥାନର ଆତିଥ୍ୟ, ମେଡିକାଲ ସୁବିଧା, ବିଦ୍ୟୁତ୍ ଓ ଜଳ ଯୋଗାଣ, ରାସ୍ତା ଅବସ୍ଥା, ଟ୍ରାଫିକ ପରିଚାଳନା, ନେଟୱର୍କ ସଂଯୋଗ, କଷ୍ଟମ୍ କ୍ଲିୟରାନ୍ସ ଆଦି ବ୍ୟବସ୍ଥାର ସମୀକ୍ଷା କରିଥିଲେ। କୈଳାସ ମାନସରୋବର ଯାତ୍ରାରେ ସାମିଲ ଶ୍ରଦ୍ଧାଳଙ୍କୁ ବୟସ ୩୦ରୁ ୭୦ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି।






More Stories
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..
ସଞ୍ଜୀବ ପଣ୍ଡା,ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି…..
ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ ମୋଦି…..