ରିପୋର୍ଟ କାର୍ଡ / କଟକ
ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ବୁଧବାର ଠାରୁ ଆରମ୍ଭ ହେଉଛି। ଏସିଆ ମହାଦେଶ ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ଚଳିତଥର ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦିଆଯିବା ସହ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର କରାଯିବ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଇଣ୍ଡୋନେସିଆ ସହଭାଗୀ ରାଷ୍ଟ୍ର ଭାବେ ଭାଗ ନେବ। ସେମାନଙ୍କର କଳା ସଂସ୍କୃତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ ହେବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ଏକ ସ୍ବତନ୍ତ୍ର ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିବେ। ସବୁ ସନ୍ଧ୍ୟାରେ ବଲିଉଡ ଏବଂ ଓଲିଉଡର ନାମିଦାମୀ କଳାକାର ନୃତ୍ୟ ସଙ୍ଗୀତରେ ଗଣକବି ବୈଷ୍ଣବ ପାଣି ଏବଂ ଅକ୍ଷୟ ମହାନ୍ତି ମଞ୍ଚ ଦୁଲୁକିବ। ଦହିବରା ଠାରୁ ଠୁଙ୍କାପୁରି, ଓଡ଼ିଶାର ହସ୍ତକଳା ଠାରୁ ଦୋଳି ସବୁ କିଛି ନେଇ ୬୦ ଏକର ଜମିରେ ବାଣିଜ୍ୟର ଏହି ମହାକୁମ୍ଭ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ ଜିଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା. ଏଚ କ୍ରୀଷ୍ଣମୂର୍ତ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଭୁପ୍ରସାଦ ତରାଇ, ଦେବାଶିଷ ସାମନ୍ତରାୟଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଅତିଥି ଭାବେ ଯୋଗଦେବେ। ସେହିଭଳି ବିଭିନ୍ନ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରାୟ ୧୬୬୦ ରୁ ଅଧିକ ଷ୍ଟଲ ଏଥର ପଡ଼ିଆରେ ପଡ଼ିଥିବାବେଳେ ବିଭିନ୍ନ ନୂତନତ୍ବ ଦେଖିବାକୁ ମିଳିବ।






More Stories
ବାହାର ଭୋଟରଙ୍କୁ ନୂଆପଡ଼ା ଛାଡ଼ିବାକୁ ନିର୍ଦ୍ଦେଶ…..
ଗୋପିଚାନ୍ଦଙ୍କ ପରଲୋକ…..
ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ…..