Report Card Odisha

| Daily Odia News

ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଂଗଠନ, ୫ଟି ଟାର୍ଗେଟରେ ‘ଭାରତ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନ ରହୁଛନ୍ତି | ସେମାନଙ୍କ ମଧ୍ୟରୁ ଲଶ୍କର-ଇ-ତୋଇବା ଓ ଜୈଶ୍-ଇ-ମହମ୍ମଦ ପରି ୫ଟି ସଂଗଠନ ଭରତ ବିରୋଧରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ବୋଲି ଆମେରିକା କଂଗ୍ରେସର ଦ୍ବିଦଳୀୟ ଗବେଷଣା ଶାଖା ରିପୋର୍ଟ ପ୍ରକାଶ କରିଛି। ଆମେରିକୀୟ କର୍ମକର୍ତ୍ତାମାନେ ପାକିସ୍ତାନକୁ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ବୋଲି ଚିହ୍ନଟ କରିଛନ୍ତି। ଅନେକ ବୈଦେଶିକ ଆତଙ୍କବାଦୀ ଗୋଷ୍ଠୀ ଏଠାରେ ରହି ନିଜର କାର୍ଯ୍ୟକଳାପ ଚଳାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ୧୯୮୦ ଦଶକରୁ ସକ୍ରିୟ ଅଛନ୍ତି ବୋଲି ସ୍ବାଧୀନ କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ୍ (ସିଆର୍‌ଏସ୍‌) ରିପୋର୍ଟ କରିଛି। ଗତ ସପ୍ତାହରେ କ୍ୱାଡ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରେସର ଦ୍ୱିପାକ୍ଷିକ ଅନୁସନ୍ଧାନ ୱିଙ୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏହି ଗୋଷ୍ଠୀକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ। ଏଥିମଧ୍ୟରେ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ସଂଗଠନ, ଆଫଗାନ କେନ୍ଦ୍ରିତ, ଭାରତ ଏବଂ କାଶ୍ମୀର କେନ୍ଦ୍ରିତ, ଘରୋଇ ବ୍ୟାପାରରେ ଯାଏଁ ସୀମିତ ରହୁଥିବା ସଂଗଠନ ଏବଂ ସଂସ୍କୃତି ଭିତ୍ତିକ (ଶିଆ ବିରୁଦ୍ଧରେ) ଆତଙ୍କବାଦୀ ସଂଗଠନ ଅନ୍ତର୍ଭୁକ୍ତ। CRS ରିପୋର୍ଟରେ ଦର୍ଶାଯାଇଛି ଯେ ଏଥିମଧ୍ୟରୁ କିଛି ଆତଙ୍କବାଦୀ ସଂଗଠନ ୧୯୮୦ ଦଶକରୁ ବିଦ୍ୟମାନ ଅଛନ୍ତି। ଲଶ୍କର-ଏ-ତୋଇବା ୧୯୮୦ ଦଶକରେ ପାକିସ୍ତାନରେ ଗଠନ ହୋଇଥିଲା। ୨୦୦୧ରେ ଏହାକୁ ବିଦେଶ ଆତଙ୍କୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା। ୨୦୦୮ ରେ ମୁମ୍ବାଇ ଆତଙ୍କବାଦୀ ହମଲା ସହ ଅନେକ ହାଇପ୍ରୋଫାଇଲ ହମଲା ପାଇଁ ଲଶ୍କର-ଏ-ତୋଇବା ନିଜକୁ ଦାୟୀ କରାଯାଇଛି। ରିପୋର୍ଟ ଅନୁସାରେ ୨୦୦୦ ମସିହାରେ ଆତଙ୍କବାଦୀ ନେତା ମସୁଦ ଅଜହର ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଗଠନ କରିଥିଲା। ୨୦୦୧ ରେ ଏହାକୁ ମଧ୍ୟ ବିଦେଶୀ ଆତଙ୍କୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା। ଲଶ୍କର-ଏ-ତୋଇବା ସହ ଜୈଶ ମଧ୍ୟ ୨୦୦୧ ରେ ଭାରତୀୟ ସଂସଦରେ ହମଲା ସହ ଅନ୍ୟ ହମଲା ପାଇଁ ପାଇଁ ଦାୟୀ। ୧୯୮୯ ରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ଗଠନ ହୋଇଥିଲା ଯାହା ପାକିସ୍ତାନର ସବୁଠାରୁ ବଡ ଇସ୍ଲାମୀ ପାର୍ଟିର ଆତଙ୍କବାଦୀ ଶାଖା ଏବଂ ୨୦୧୭ରେ ଏହାକୁ ଏଫଟିଓ ତାଲିକା ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନରେ ସାମିଲ ସବୁଠାରୁ ପୁରୁଣା ଆତଙ୍କୀ ସଂଗଠନ। ସିଆରଏସ ଅନୁଯାୟୀ ପାକିସ୍ତାନରୁ ନିଜର କାର୍ଯ୍ୟକଳାପ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟରେ ଅଲ-କାଏଦା ମଧ୍ୟ ସାମିଲ ଅଛି ଯାହା ମୁଖ୍ୟାତଃଅ କରାଚୀ ଓ ଆଫଗାନିସ୍ତାନରେ କାର୍ଯ୍ୟ କରେ। CRS କହିଛି ଯେ ଆତଙ୍କବାଦ ଉପରେ ଆମେରିକୀୟ ବିଦେଶ ବିଭାଗର ରିପୋର୍ଟ ଅନୁଯାୟୀ ‘କଣ୍ଟ୍ରି ରିପୋର୍ଟ ଅନ ଟେରରିଜମ ୨୦୧୯’ ଅନୁଯାୟୀ, ପାକିସ୍ତାନ କେତେକ ଅଞ୍ଚଳକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି ଏବଂ ଆଫଗାନିସ୍ତାନ ସହ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କୀ ସଂଗଠନକୁ ନିଜ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି। ବିଭାଗ ଆହୁରି ମଧ୍ୟ କହିଛି ଯେ, ଆତଙ୍କବାଦର ଆର୍ଟିକ ସହାୟତା ରୋକିବାକୁ ଓ ଜାମ୍ମୁ କାଶ୍ମୀରରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ହମଲା ପୂର୍ବରୁ ଭାରତ କେନ୍ଦ୍ରିତ କିଛି ଆତଙ୍କବାଦୀ ସଂଗଠନ ଉପରେ ଲଗାମ କଷିବାକୁ ପାକିସ୍ତାନ ସରକାର ମାମୁଲି ପଦକ୍ଷେପ ନେଇଛନ୍ତି।

Breaking News