Report Card Odisha

| Daily Odia News

ବର୍ଷ ଦଶମ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ ହେବନି ତୃତୀୟ ଭାଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବର୍ତ୍ତମାନର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ୩-ଭାଷା ନୀତି କାର୍ଯ୍ୟକାରୀ ହେବନାହିଁ। ଅର୍ଥାତ ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟ ଉପରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ସୋମବାର ସିବିଏସ୍‌ଇ ପକ୍ଷରୁ ୩-ଭାଷା ନୀତି ଉପରେ ଏହି ନିୟମାବଳୀ ଜାରି କରିଛି।ନିୟମାବଳୀରେ କୁହାଯାଇଛି ଯେ, ଜାତୀୟ ଶିକ୍ଷା ନୀତି-୨୦୨୦ରେ ୩-ଭାଷାରେ ଅଧ୍ୟୟନ କରିବାକୁ ନିୟମ ରହିଛି। ଶିକ୍ଷାବର୍ଷ ୨୦୨୬-୨୭ରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ୩-ଭାଷା ନୀତି ଲାଗୁ ହେବ ବୋଲି ପୂର୍ବରୁ ନିର୍ଦେଶନାମା ଜାରି ହୋଇଥିଲା। ତେବେ ନୂତନ ଭାଷା ନୀତି ବର୍ତ୍ତମାନର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ତେଣୁ ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଅତିରିକ୍ତ ବିଷୟ ଉପରେ ଚିନ୍ତା କରିବାକୁ ପଡ଼ିବ ନାହିଁ। ତେବେ ୭ମ, ୮ମ ଏବଂ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷା ବାଛି ସାରିଛନ୍ତି, ସେମାନେ ସେହି ଭାଷାଗୁଡ଼ିକ ସହିତ ପାଠପଢ଼ା ଜାରି ରଖିପାରିବେ। ସେମାନଙ୍କୁ ଅତିରିକ୍ତ ଏକ ଭାରତୀୟ ଭାଷା ଅଧ୍ୟୟନ କରିବାକୁ ପଡ଼ିବ। ନୂତନ ଭାଷା ନୀତି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ନବମ ଶ୍ରେଣୀର୨୦୨୬-୨୭ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ତିନୋଟି ଭାଷା ପଢ଼ିବାକୁ ପଡ଼ିବ। ତିନୋଟି ଭାଷା ମଧ୍ୟରୁ ଅତି କମରେ ଦୁଇଟି ଭାରତୀୟ ଭାଷା ହେବା ଆବଶ୍ୟକ। ଭାରତୀୟ ଭାଷାରେ ହିନ୍ଦୀ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲାମ୍‌, ମରାଠୀ, ବେଙ୍ଗଲୀ, ପଞ୍ଜାବୀ, ଗୁଜରାଟି, ଓଡ଼ିଆ ଏବଂ ଆସାମୀ ରହିଛି। ସେହିପରି ବିଦେଶୀ ଭାଷାରେ ଇଂରାଜୀ, ଫରାସୀ, ଜର୍ମାନୀ, ଆରବିକ ଏବଂ ସ୍ପେନିସ୍‌ ଇତ୍ୟାଦି ରହିଛି। ଯଦି ଜଣେ ବିଦ୍ୟାର୍ଥୀ ଭାରତୀୟ ଭାଷା ମଧ୍ୟରୁ ଦୁଇଟି ଭାଷାରେ ଅଧ୍ୟୟନ କରି ସାରିଛି ତେବେ ସେ ଅନ୍ୟ ଏକ ଭାରତୀୟ ଭାଷା କିମ୍ବା ଇଂରାଜୀ କିମ୍ବା ଫରାସୀ ଭଳି ଏକ ବିଦେଶୀ ଭାଷାକୁ ତୃତୀୟ ଭାଷା ଭାବରେ ବାଛି ପାରିବ। ଯଦି ଜଣେ ଛାତ୍ର ଗୋଟିଏ ଭାରତୀୟ ଭାଷା ତାମିଲ ଏବଂ ଗୋଟିଏ ବିଦେଶୀ ଭାଷା ଇଂରାଜୀରେ ଅଧ୍ୟୟନ କରୁଛନ୍ତି, ତେବେ ତାଙ୍କୁ ତୃତୀୟ ଭାଷା ଭାବରେ ଏକ ଭାରତୀୟ ଭାଷା ଯୋଡିବାକୁ ପଡ଼ିବ। ଯଦି ଜଣେ ବିଦ୍ୟାର୍ଥୀ ଦୁଇଟି ବିଦେଶୀ ଭାଷା ଇଂରାଜୀ ଏବଂ ଫରାସୀ ଅଧ୍ୟୟନ କରୁଛନ୍ତି ତେବେ ସେ ଉଭୟ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କିନ୍ତୁ ତାଙ୍କୁ ତୃତୀୟ ଭାଷାରେ ଏକ ଭାରତୀୟ ଭାଷା ମଧ୍ୟ ଅଧ୍ୟୟନ କରିବାକୁ ପଡ଼ିବ। ଏନସିଇଆରଟି ୨୨ଟି ଅନୁସୂଚିତ ଭାରତୀୟ ଭାଷାରେ ନୂତନ ପୁସ୍ତକ ଯୋଗାଇ ଦେଉଛି।ବର୍ତ୍ତମାନ ୯ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାବର୍ଷ ୨୦୨୭-୨୮ରେ ତୃତୀୟ ଭାଷାରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହି ଭାଷା କେବଳ ସ୍କୁଲସ୍ତରରେ ମୂଲ୍ୟାୟନ କରାଯିବ। ସପ୍ତମ-ଅଷ୍ଟମ ଶ୍ରେଣୀର ୨୦୨୬-୨୭ବର୍ଷର ଛାତ୍ରଛାତ୍ରୀ ଯେତେବେଳେ ୯ମ ଏବଂ ୧୦ମ ଶ୍ରେଣୀରେ ପହଞ୍ଚିବେ, ସେମାନେ ତିନୋଟି ଭାଷା ପଢ଼ିବେ। ଯଦି ସେମାନେ ପୂର୍ବରୁ ଦୁଇଟି ବିଦେଶୀ ଭାଷା ବାଛିଛନ୍ତି ତେବେ ସେମାନଙ୍କୁ କେବଳ ଆଉ ଗୋଟିଏ ଭାରତୀୟ ଭାଷା ଯୋଡିବାକୁ ପଡ଼ିବ। ଏହି ଛାତ୍ରଙ୍କୁ ତୃତୀୟ ଭାଷା ପାଇଁ ବୋର୍ଡ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଏହା କେବଳ ସ୍କୁଲ ଦ୍ୱାରା ମୂଲ୍ୟାୟନ କରାଯିବ। ଷଷ୍ଠ ଶ୍ରେଣୀର ୨୦୨୬-୨୭ବର୍ଷ ଏବଂ ପରବର୍ତ୍ତୀ ବ୍ୟାଚ୍‌ଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନୀତି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ ହେବ। ତିନୋଟି ମଧ୍ୟରୁ ଦୁଇଟି ଭାରତୀୟ ଭାଷା ବାଧ୍ୟତାମୂଳକ ହେବ। ଏହି ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପହଞ୍ଚିବା ପରେ ସେମାନେ ତୃତୀୟ ଭାଷାରେ ବୋର୍ଡ ପରୀକ୍ଷା ମଧ୍ୟ ଦେବେ।

Breaking News