Report Card Odisha

| Daily Odia News

ଶରୀର ବିନ୍ଧା ହେବା, ଥଣ୍ଡା, କଫ, କାଶ କିମ୍ବା ବାନ୍ତି ହେଉଛି, ତା’ହେଲେ ଆପଣ ତୁରନ୍ତ ଟେଷ୍ଟ କରାଇବା ଦରକାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାମାରୀ କରୋନାକୁ ସାରା ଦେଶ ଚିନ୍ତାରେ ଥିବା ବେଳେ, ଆଜି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ୩ ଜଣ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ,ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ ଆଜି ଦେଶର କୋଭିଡ୍ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ବୈଠକରେ କରୋନାକୁ ନେଇ ୩ ଜଣ ବରିଷ୍ଠ ଡାକ୍ତର ଆଲୋଚନା କରିଛନ୍ତି । ଦେଶବାସୀଙ୍କୁ ଆଶ୍ୱସନାର ଗୁରୁମନ୍ତ୍ର ଦେଇଛନ୍ତି। ସେହିପରି କରୋନା ବିରୋଧର ଯୁଦ୍ଧର ୩ ପ୍ରମୁଖ ଅସ୍ତ୍ର ପାରାସିଟମଲ, ରେମଡେସିଭିର ଓ ଅକ୍ସିଜେନର ବ୍ୟବହାର ଉପରେ ବିଶେଷ ତଥ୍ୟ ଦେଇଛନ୍ତି। କରୋନାରୁ ରକ୍ଷା ପାଇବାକୁ ହେଲେ ସବୁବେଳେ ମାସ୍କ ପିନ୍ଧିବାକୁ ପଡ଼ିବ। ସେହିପରି ଆକ୍ରାନ୍ତ ହେଲେ ମଧ୍ୟ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେମାନେ କହିଛନ୍ତି। ରାୟଣ ହେଲ୍ଥର ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ ଦେଶବାସୀଙ୍କୁ କହିଛନ୍ତି ଯେ ଆମକୁ କରୋନାରୁ ବର୍ତ୍ତିବାକୁ ହେଲେ ସବୁ ବେଳେ ମାସ୍କ ପିନ୍ଧିବାକୁ ପଡ଼ିବ। ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବାକୁ ହେବ। ଯଦି କରୋନା ପଜିଟିଭ ଆସୁଛି, ତା’ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଯଥା ସମ୍ଭବ ହୋମ୍ ଆଇସୋଲେସନରେ ରହନ୍ତୁ ଓ ପ୍ରତି ୬ ଘଣ୍ଟାରେ ଥରେ ଅକ୍ସିମିଟରରେ ନିଜର ଅକ୍ସିଜେନ୍ ସ୍ତର ଯାଞ୍ଚ କରନ୍ତୁ। ଯଦି ଆମ ଶରୀରରେ ଅକ୍ସିଜେନ ସ୍ତର ୯୪%ରୁ ଉପରେ ରହିଛି, ତା’ହେଲେ କିଛି ବି ଅସୁବିଧା ନାହିଁ। ଯଦି ଏହା କ୍ରମାଗତ ଭାବେ ହ୍ରାସ ପାଉଛି, ତା’ହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଠିକ ସମୟରେ ଚିକିତ୍ସା ଆରମ୍ଭ କଲେ ନିଶ୍ଚିତ ଜଣେ କରୋନାରୁ ଆରୋଗ୍ୟ ଲାଭ କରିପାରିବେ। ଶରୀର ବିନ୍ଧା ହେବା, ଥଣ୍ଡା, କଫ, କାଶ କିମ୍ବା ବାନ୍ତି ହେଉଛି, ତା’ହେଲେ ଆପଣ ତୁରନ୍ତ ଟେଷ୍ଟ କରାଇବା ଦରକାର ବୋଲି ସେ କହିଛନ୍ତି। ମେଦାନ୍ତ ହସ୍ପିଟାଲ ମୁଖ୍ୟ ଡାକ୍ତର ନରେଶ ତ୍ରେହାନ କହିଛନ୍ତି, କରୋନା ଆକ୍ରାନ୍ତ ହେଲେ କିମ୍ବା ଲକ୍ଷଣ ଦେଖାଯିବା ମାତ୍ରେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖନ୍ତୁ। ଯଦି ନିଜ ଘରେ ପର୍ଯ୍ୟାପ୍ତ ଜାଗା ନାହିଁ, ତା’ହେଲେ ଆଇସୋଲେସନ ସେଣ୍ଟରକୁ ଯାଆନ୍ତୁ। ହସ୍ପିଟାଲ ପାଖ ପେଡ୍ କ୍ୱାରେଣ୍ଟାଇନ ସେଣ୍ଟରରେ ବି ଜଣେ ଚାହିଁଲେ ରହିପାରିବେ। ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ ଓ ଔଷଧ ଖାଆନ୍ତୁ। ଆମେମାନେ ଭାଗ୍ୟବାନ। କାରଣ ଆମେ ଭାରତରେ ରହୁଛେ। ଭାରତରେ ବ୍ୟାପକ ଔଷଧ ନିର୍ମାତା କମ୍ପାନୀ କାର୍ଯ୍ୟ କରୁଛନ୍ତି। ଭାରତରେ ଆଦୌ ଔଷଧ ଅଭାବଜନିତ ସମସ୍ୟା ଦେଖାଦେବନାହିଁ। ଅକ୍ସିଜେନସ୍ତର କମିଲେ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଆଡମିଶନ ହୁଅନ୍ତୁ। ଅକ୍ସିଜେନକୁ ଭଲ ଭାବେ ବୁଝି ବିଚାରି ବ୍ୟବହାର କରିବାକୁ ହେବ। ଯଦି ଅକ୍ସିଜେନର ଅପଚୟ ହେବ, ତା’ହେଲେ ଏହା ଆବଶ୍ୟକ କରୁଥିବା ଲୋକଙ୍କ ଜୀବନ ନେଇପାରେ। କରୋନା ଆକ୍ରାନ୍ତଙ୍କ ଯତ୍ନ ଠିକ ଭାବେ ନେବାକୁ ମେଦାନ୍ତ ମୁଖ୍ୟ ତ୍ରେହାନ ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ରେମଡେସିଭିର କରୋନାରେ ଆକ୍ରାନ୍ତ ହେଉଥିବା ସମସ୍ତ ଲୋକଙ୍କୁ ନ ଦେବା ପାଇଁ ଆମେ ପ୍ରୋଟକଲ କରିଛୁ। ଟେଷ୍ଟ ପରେ ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ରେମଡେସିଭିର ଦିଆଯିବ। ରେମଡିସିଭର କୌଣସି ରାମବାଣ ନୁହେଁ। ଏହା କେବଳ ଜଣେ ଆକ୍ରାନ୍ତଙ୍କ ଭାଇରାଲ ଲୋଡ୍‌କୁ ହ୍ରାସ କରିଥାଏ। ବହୁତ କମ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲର ଆବଶ୍ୟକ ପଡ଼ୁଛି। ତେଣୁ ହସ୍ପିଟାଲ ବେଡ୍‌କୁ ଠିକ୍‌ ଭାବେ ବ୍ୟବହାର କରିବାକୁ ହେବ।

ଏହି ଉତ୍ତରଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ ଔଷଧ ବ୍ୟବହାର ନକରି ବି ୮୫% ଆକ୍ରାନ୍ତ ସୁସ୍ଥ ହୋଇଗଲେଣି। ସାଧାରଣ ପାରାସିଟାମଲ ଖାଇ ୮୫% ରୋଗୀ ଭଲ ହେଲେଣି। ସାଧାରଣ ଥଣ୍ଡା ଓ ତଣ୍ଟି ଦରଜ ଥିବା ଲୋକମାନେ ୫ରୁ ୭ ଦିନ ଭିତରେ ଭଲ ହେଉଛନ୍ତି। କେବଳ ୧୫% ରୋଗୀଙ୍କୁ ରେମଡେସିଭିର ଦେଇ ଚିକିତ୍ସା କରିବାକୁ ପଡୁଛି। ରେମଡେସିଭିରକୁ ମ୍ୟାଜିକ ବୁଲେଟ ଭାବେ ବିଚାର କରନ୍ତୁ ନାହିଁ।କରୋନାରେ ଆକ୍ରାନ୍ତ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଆକ୍ରାନ୍ତ ହେଲେ ବି ଅଯଥା ହସ୍ପିଟାଲ ଆସି ଭିଡ଼ କରିବା ଠିକ୍‌ ନୁହେଁ। ଜରୁରୀ ଥିବା ଲୋକମାନେ ହିଁ ହସ୍ପିଟାଲ ଆସିବା ଉଚିତ। ଏବେ ଦେଖାଯାଉଛି, ଅନେକ ଆକ୍ରାନ୍ତ ଘରେ ଅକ୍ସିଜେନ ସିଲିଣ୍ଡର ରଖି ଏହାର ବ୍ୟବହାର କରୁଛନ୍ତି। କିନ୍ତୁ ଏହା ଅକ୍ସିଜେନର ଅଯଥା ଅପଚୟ। ସେହିପରି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ। ଅକ୍ସିଜେନ ସ୍ତର ୯୩/୯୪ ଯାଏ ଥିଲେ ବହୁତ ଭଲ। ଏହି ସମୟରେ ଅଧିକ ଅକ୍ସିଜେନ ନେବା ଠିକ୍‌ ନୁହେଁ। ଅକ୍ସିଜେନ ସ୍ତର ୯୨% ତଳକୁ ଆସିଲେ ନ ଡରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ମନଇଚ୍ଛା ଘରକୁ ଅକ୍ସିଜେନ ସିଲିଣ୍ଡର ନିଅନ୍ତୁ ନାହିଁ। ଯଦି ପୂରା ଦେଶ ଠିକ ଭାବେ ଅକ୍ସିଜେନ ଓ ରେମଡେସିଭିରର ବ୍ୟବହାର କରିବ, ତା’ହେଲେ ଏହାର ଅଭାବନ ଦେଖାଯିବ ନାହିଁ ବୋଲି ସେ କହିଛନ୍ତି। ଟିକା ସଂପର୍କରେ ବି ଡାକ୍ତର ଗୁଲେରିଆ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ଟିକା ରୋଗ ଦୂରେଇବ। କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ତେଣୁ ଟିକା ନେଲେ ବି ସଂକ୍ରମିତ ହେବାର ଭୟ ରହିବ। ଆମକୁ ଟିକା ନେବା ପରେ ମଧ୍ୟ ସମସ୍ତ ନିୟମକୁ ପାଳନ କରିବାକୁ ପଡ଼ିବ। ଟିକା ନେଲା ପରେ ବି ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ। ମାସ୍କ ନପନ୍ଧିଲେ ଆପଣଙ୍କ ଦ୍ୱାରା ଆପଣଙ୍କ ପରିବାର ମଧ୍ୟ ସଂକ୍ରମିତ ହୋଇପାରନ୍ତି

Breaking News