Report Card Odisha

| Daily Odia News

ତିରୁପତି ମନ୍ଦିରରେ ଦଳାଚକଟା ଘଟଣା:୬ ମୃତ,ସାମ୍ନାକୁ ଆସିଲା ପ୍ରକୃତ କାରଣ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଗତକାଲି ଅଘଟଣ ଘଟିଥିଲା। ଦଳାଚକଟାରେ ୬ ଜଣ ପ୍ରାଣ ହରାଇଥିଲେ। ତେବେ କିଭଳି ହୋଇଥିଲା ଏହି ଦଳାଚକଟାର ତା’ର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକେନ୍ ଗୁରୁବାର ସକାଳ ୫ ଟାରୁ ବଣ୍ଟନ କରାଯିବାରଥିଲା। ତେବେ ବୁଧବାର ରାତିରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ଟିକେଟ୍ କାଉଣ୍ଟରରେ ଭିଡ ଜମାଇଥିଲେ। ଉତ୍ସବ ପାଇଁ ସ୍ଥାପିତ ୯୦ରୁ ଅଧିକ ଟିକେଟ୍ କାଉଣ୍ଟରରେ ଟୋକେନ୍ ପାଇଁ ପ୍ରବଳ ଭିଡ଼ ଜମିଥିଲା । ତିରୁପତି ମନ୍ଦିର ଅଧ୍ୟକ୍ଷ ବିଆର୍‌ ନାଇଡୁଙ୍କ କହିବା ମୁତାବକ, ବୁଧବାର ସକାଳୁ ହିଁ ଟିକେଟ୍‌ କାଉଣ୍ଟର ବାହାରେ ୩ରୁ ୪ ହଜାର ଲୋକ ଏକାଠି ହୋଇଥିଲେ। ସନ୍ଧ୍ୟା ସୁଦ୍ଧା ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ବିଷ୍ଣୁ ନିବାସମ ମନ୍ଦିର ନିକଟ ବାଇରାଗିପାଟ୍ଟେଡାର ଏମଜିଏମ ହାଇସ୍କୁଲର କାଉଣ୍ଟରରେ ସ୍ଥିତି ବେକାବୁ ହୋଇପଡିଥିଲା। ଟିଟିଡିର ଅଧ୍ୟକ୍ଷଙ୍କ କହିବା ମୁତାବକ, ଭିଡ ଭତରେ ଜଣେ ମହିଳା ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲିବା ମାତ୍ରେ ଲୋକମାନେ ଗେଟ୍‌ ଡେଇଁ ଆଗକୁ ବଢ଼ି ଯାଇଥିଲେ। ଫଲରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାର ଅଭାବ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ସୂତ୍ର ଅନୁଯାୟୀ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଦଳାଚକଟା ଘଟିଥିବା ଟୋକନ୍ କେନ୍ଦ୍ରଗୁଡ଼ିକରେ କୌଣସି ଆମ୍ବୁଲାନ୍ସକୁ ପ୍ରସ୍ତୁତ ରଖାଯାଇ ନଥିଲା। ଦଳାଚକଟା ପରେ ମଧ୍ୟ ଆମ୍ବୁଲାନ୍ସଗୁଡ଼ିକୁ ଘଟଣାସ୍ଥଳରେ ପହଞ୍ଚିବାକୁ ୧୫-୨୦ ମିନିଟ୍ ସମୟ ଲାଗିଥିଲା।ତିରୁପତି ଜିଲ୍ଲାପାଳ ଏସ୍ ଭେଙ୍କଟେଶ୍ୱରା କହିଛନ୍ତି ଯେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୧୫ ମିନିଟ୍ ସମୟ ଲାଗିଥିଲା। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

Breaking News