ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗୃହରେ ଉଦ୍ବୋଧନ ଦେବା ବେଳେ ଶାସକ ଦଳଙ୍କ ସହ ତାଙ୍କର ମତଭେଦ ସୃଷ୍ଟି ହୋଇଥିଲା। ଏହାପରେ ରାଜ୍ୟପାଳ ଗୃହ ଛାଡ଼ି ଚାଲି ଯାଇଥିଲେ। ତାମିଲନାଡୁ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଆର.ଏନ୍ ରବି ଉଦ୍ବୋଧନ ଦେବା ସମୟରେ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିବରଣୀର କିଛି ଅଂଶ ଛାଡ଼ି ଦେଇଥିବାରୁ ଏହାକୁ ବିରୋଧ କରି ଶାସକ ଦଳ ତରଫରୁ ଆପତ୍ତି ହେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିବରଣୀରେ ତାମିଲନାଡୁକୁ ଶାନ୍ତି ଓ ସଂହତି ପାଇଁ ଭୂସ୍ବର୍ଗ ଓ ଧର୍ମନିରପେକ୍ଷତାର ନିଦର୍ଶନ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ପାଠ କରିନଥିଲେ। ଏଥିସହ ଡିଏମ୍କେ ସରକାର ଦ୍ରାବିଡିୟାନ୍ ମଡେଲରେ ଶାସନ ଚଳାଉଥିବା ଥିବା ପ୍ରସଙ୍ଗ ବିବରଣୀରେ ଥିବାବେଳେ ଏହାକୁ ରାଜ୍ୟପାଳ ଏଡ଼ାଇ ଯାଇଥିଲେ। ସେହିପରି ରାଜ୍ୟପାଳ ତାମିଲନାଡୁର କେତେକ ପ୍ରମୁଖ ରାଜନେତାଙ୍କ ନାମ ନିଜ ଉଦ୍ବୋଧନରେ ଉଲ୍ଲେଖ ନ କରିବାରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ବିରୋଧ କରିଥିଲେ। ସରକାରଙ୍କ ଦ୍ବାରା ପ୍ରସ୍ତୁତ ବିବରଣୀ ରାଜ୍ୟପାଳ ବିଧାନସଭା ଅଧିବେଶନର ପ୍ରଥମ ଦିନରେ ପାଠ ଓ ରାଜ୍ୟପାଳ ଏଥିରେ କିଛି ସାମିଲ କରିଥିଲେ କିମ୍ବା ବାଦ୍ ଦେଇଥିଲେ ତାହାକୁ ବିଧାନସଭା ରେକର୍ଡରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ଏକ ପ୍ରସ୍ତାବ ଷ୍ଟାଲିନ୍ ଆଣିବା ପରେ ତାହା ପାରିତ ହୋଇଥିଲା। ପ୍ରସ୍ତାବ ପାରିତ ହେବା କ୍ଷଣି ରାଜ୍ୟପାଳ ତୁରନ୍ତ ଗୃହ ଛାଡ଼ି ଚାଲି ଯାଇଥିଲେ। ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଏପରି ଘଟଣା ସମ୍ଭବତଃ ପ୍ରଥମଥର ହୋଇଥିବା ଚର୍ଚ୍ଚା ହୋଇଛି। ସୂଚନାଥାଉକି ପୂର୍ବରୁ ଅନେକ ପ୍ରସଙ୍ଗରେ ତାମିଲନାଡୁ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଡିଏମ୍କେ ସରକାରଙ୍କ ତରଫରୁ ପାରିତ ୨୦ଟି ବିଲ୍ରେ ସ୍ବାକ୍ଷର କରିବାକୁ ରାଜ୍ୟପାଳ ମନା କରି ଦେବା ପରେ ବିବାଦ ତୀବ୍ର ହୋଇଥିଲା। ରାଜ୍ୟପାଳ ବିଜେପି ଆଦର୍ଶ ଓ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଉଥିବା ଶାସକ ଡିଏମ୍କେ ତରଫରୁ ଅଭିଯୋଗ ହେବା ସହ ତାଙ୍କୁ ହଟାଇ ଦେବାକୁ ଦାବି ହୋଇ ଆସୁଛି।
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ: ରବର୍ଟ ଭାଡ୍ରାଙ୍କ ବିବାଦୀୟ ବୟାନ……
୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ିଲେଣି ୩ ହଜାରରୁ ଉର୍ଧ୍ବ ଲୋକ…..