ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାଟ୍ରିକ ରେଜଲ୍ଟ କୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ। ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି । କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ। ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷକଙ୍କୁ ଘେରିଛନ୍ତି ପିଲାମାନେ। କଟକରେ ସୋମବାର ଏକ ଘରୋଇ ଶିକ୍ଷାନୁଷ୍ଠାନ ଆଗରେ ଖୁବ୍ ହୋହଲ୍ଲା କରିଥିବା ବେଳେ ବୋର୍ଡ ଅଫିସ୍ ସମ୍ମୁଖରେ ଅସନ୍ତୁଷ୍ଟ ଅଭିଭାବକ ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ଭୁବନେଶ୍ୱର ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀମନେ ବିକ୍ଷୋଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ମଧ୍ୟ ସ୍କୁଲ୍ରେ ପ୍ରତିବାଦ କରିଛନ୍ତି। ପୁରୀରେ ମଧ୍ୟ ମାଟ୍ରିକ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ପୁରୀ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅସନ୍ତୋଷ ଦେଖା ଦେଇଛି । ପାଇଥିବା ନମ୍ବରରେ ଅସନ୍ତୋଷ ପ୍ରକାଶ କରି ସ୍କୁଲକୁ ଘେରିଛନ୍ତି ଛାତ୍ରଛାତ୍ରୀ । ଅସନ୍ତୋଷ ତୀବ୍ର ହେବା ପରେ ସମୀକ୍ଷା କରିବା ପାଇଁ ଡ଼ିଇଓ ଙ୍କୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହି ପରି ଭଦ୍ରକରେ ମଧ୍ୟ ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭଦ୍ରକ ପୁରୁଣା ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଭାବକ ଓ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହିତ ପରୀକ୍ଷା ଫଳ ବଢେଇବକୁ ଦାବି କରିଛନ୍ତି । ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ଅଭିଯୋଗ ଯେ, ବୋର୍ଡ ଦେଇଥିବା ଫର୍ମୂଲା ଅନୁସାରେ ନମ୍ବର ମିଳିନି। ଫର୍ମୂଲା ହିସାବରେ ଯେଉଁ ପିଲା ୯୦ ପ୍ରତିଶତ ଉପରକୁ ରଖୁଛି ତାକୁ ମିଳିଛି ୭୫ ପ୍ରତିଶତ, ଯିଏ ରଖିଛି ୭୫ ପ୍ରତିଶତ ତାକୁ ଦିଅଯାଇଛି ୫୫ ପ୍ରତିଶତ। ଏପରି ସ୍ଥିତିରେ ପିଲା କେଉଁ କଲେଜରେ କିପରି ନାମ ଲେଖାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ଏହାବ୍ୟତୀତ ଆଉ ଥରେ ପରୀକ୍ଷା ଦେବାକୁ ବି ପିଲାମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ ପରୀକ୍ଷା ଦେଲେ ଯୁକ୍ତ ୨ରେ ନାମ ଲେଖାଇବାରେ ବିଳମ୍ବ ହୋଇଯିବ ବୋଲି କହିଛନ୍ତି। ସେପଟେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ମିଳିଛି କି ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି। କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନ୍ରେ ପରୀକ୍ଷା ଦେଇପାରିବେ।ଯାହା ହୋଇଛି ନିୟମ ଅନୁସାରେ ହୋଇଛି।” ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବୋର୍ଡ ସଭାପତି ରାମାଶିଷ ହାଜରା। ଗତ ୨୫ ତାରିଖରେ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷାଫଳ। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି।
More Stories
ପାକିସ୍ତାନର ଏଜେଣ୍ଡା ଜମ୍ମୁକଶ୍ମୀରରେ ଲାଗୁ ହେବ ନାହିଁ,କଂଗ୍ରେସ ଓ ପାକିସ୍ତାନର ଏଜେଣ୍ଡା ସମାନ…..
ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା….
ନିର୍ମାଣ ହେବ ୧୧ ଏମଏସଏମଇ ପାର୍କ…..