ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କଂଗ୍ରେସ ଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଦୁଇଜଣ ପୂର୍ବତନ ଛାତ୍ରନେତାଙ୍କୁ ଗିରଫ କରିଛି । ଗିରଫ ପରେ କ୍ୟାପିଟାଲ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ଦୁଇ ପୂର୍ବତନ ଛାତ୍ରନେତା ଦ୍ୱୟ ହେଲେ ଇତିଶ କୁମାର ପ୍ରଧାନ ଓ ପ୍ରସନ୍ନଜିତ୍ ମଲ । ଗତ ଶନିବାର ଦିନ କିଛି ଦୁର୍ବୃତ୍ତ କଂଗ୍ରେସ ଭବନ ଉପରକୁ ବୋମା ଫିଙ୍ଗିବା ପରେ ସେଠାରେ ନିଆଁ ଲଗାଇ ଦେଇଥିଲେ । ଏଥିସହ କାର୍ଯ୍ୟାଳୟରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଖଣ୍ଡା ଓ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ଏନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସହିଦ ନଗର ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ କିଛି ସହଯୋଗୀ ଫେରାର ହୋଇଯାଇଥିଲେ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସରେ ଦଳୀୟ ଗୋଷ୍ଠୀ କନ୍ଦଳକୁ କେନ୍ଦ୍ର କରି କିଛି ଗୋଷ୍ଠୀ କଂଗ୍ରେସ ଭବନ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ସେହିପରି ଗତବର୍ଷ ଫେବୃଆରୀରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେ ସମୟରେ ୩ ଜଣ ଯୁବ କଂଗ୍ରେସ ନେତା ଗୁରୁତର ହୋଇଥିଲେ ।
More Stories
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……
ବାର୍ଡ ଫ୍ଲୁ ! ମଲେଣି ୨୦ ହଜାର କୁକୁଡ଼ା…..