ରିପୋର କାର୍ଡ / ଭୁବନେଶ୍ୱର
ରାଜ୍ୟରୁ ବନ୍ୟା ଦୁର୍ଦଶା ଯାଇ ନଥିବା ବେଳେ ପୁଣି ୨ ଲଘୁଚାପ ଯୋଗୁଁ ବଡ଼ବର୍ଷା ଆସୁଛି। ଏହା ଉପକୂଳ ଓ ଉତ୍ତର ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି। ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଉପରିସ୍ଥ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଉପକୂଳ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ସେହିପରି, ପୁଣି ୧୨ରୁ ୧୫ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍ ସାହୁ କହିଛନ୍ତି। ଏହା ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶା ସହ ଉପରମୁଣ୍ଡ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିଛି ଦିନ ତଳେ ଜଳକା, ସାଳନ୍ଦୀ ଏବଂ ବୈତରଣୀରେ ବନ୍ୟା ଆସି ଉତ୍ତର ଓଡ଼ିଶାର ଜିଲାଗୁଡ଼ିକ ବନ୍ୟାରେ ପ୍ରଭାବିତ ହୋଇଥିଲା। ମହାନଦୀରେ ଛୋଟିଆ ବନ୍ୟା ଆସିବାରୁ ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଥିଲା। ନଦୀଗୁଡ଼ିକରୁ ଧୀରେଧୀରେ ପାଣି ଛାଡ଼ୁଥିବା ବେଳେ ଏଯାଏ ଲୋକଙ୍କ ଦୁର୍ଦଶା ସରିନି। ଏପରି ସ୍ଥିତିରେ ପୁଣି ବଡ଼ବର୍ଷା ହେଲେ ସ୍ଥିତି ଆହୁରି ବିଗିଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସକ୍ରିୟ ମୌସୁମି ଟ୍ରପ୍ ଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳରୁ ଆରମ୍ଭ କରି ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରୁଛି। ଆସନ୍ତା ୧୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।






More Stories
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
ସୁଭଦ୍ରାକୁ ନେଇ ଆସିଲା ବଡ଼ ସୂଚନା…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..