Report Card Odisha

| Daily Odia News

୨୪ରେ କେନ୍ଦ୍ର କ୍ୟାବିନେଟ ତିନି କୃଷି ଆଇନ ଉଚ୍ଛେଦ ଚିଠା ଅନୁମୋଦନ କରିପାରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୨୪ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ତିନି କୃଷି ଆଇନ ଉଚ୍ଛେଦ ଚିଠା ଅନୁମୋଦନ ହେବ ନେଇ ବିଶେଷସୂତ୍ରରୁ ଜଣାପଡ଼ିଛି। ୨୦୨୦ ସେପ୍ଟେମ୍ବରରେ ସଂସଦରେ ପାରିତ ହୋଇଥିବା ‘ଫାର୍‌ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ୍‌ କମର୍ସ ଆକ୍ଟ୍‌ ୨୦୨୦’ ପ୍ରତ୍ୟାହାର ପ୍ରସ୍ତାବକୁ ବୁଧବାର ଦିନ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ସମ୍ମତି ମିଳିପାରେ ବୋଲି ସୂଚନା ମିଳିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ରଖିବା ସମୟରେ ୩ କୃଷି ଆଇନ’ ରଦ୍ଦ କରାଯିବ ବୋଲି ଘୋଷଣା କରିଥିଲେ | ମୋଦି ଘୋ‌ଷଣା କରିବା ପରେ ଉକ୍ତ ଆଇନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି। ଉପରୋକ୍ତ ଆଇନକୁ ବିବାଦୀୟ କହି ପ୍ରାୟ ବର୍ଷେ ହେବ ଦିଲ୍ଲୀ ସୀମାନ୍ତରେ ବହୁସଂଖ୍ୟକ କୃଷକ ଡେରା ପକାଇ ପ୍ରତିବାଦ ଚଳାଇଛନ୍ତି। ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, କୃଷକମାନଙ୍କ ହିତାର୍ଥେ ସେହି ୩ କୃଷି ଆଇନ କରାଯାଇଥିଲା। କିନ୍ତୁ, ତାଙ୍କ ସରକାର ପାରୁପର୍ଯ୍ୟନ୍ତ ଉଦ୍ୟମ କରି ସୁଦ୍ଧା ଗ‌ୋଟାଏ ବର୍ଗର କୃଷକମାନଙ୍କୁ ତାହା ବୁଝାଇବାରେ ଅସମର୍ଥ ହୋଇଛି। ନିଷ୍ଠା ଓ ଅନାବିଳ ମନରେ ମୁଁ ଦେଶବାସୀଙ୍କୁ କ୍ଷମାଯାଚନା କରୁଛି। ଆମେ କୃଷକମାନଙ୍କୁ ବୁଝାଇବାରେ ଅସମର୍ଥ ହେଲୁ। ଆଉ ଉଦ୍ୟମରେ କେଉଁଠି ତ୍ରୁଟି ରହିଯିବାରୁ ଆମେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ନଭେମ୍ବର ୨୯ରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ତିନି କୃଷି ଆଇନକୁ ଔପଚାରିକ ଭାବେ ଉଚ୍ଛେଦ କରାଯିବ।

 

Breaking News