Report Card Odisha

| Daily Odia News

ଉତ୍କଳ ଦିବସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ୮୬ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା । ୧୯୩୬ମସିହା ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଆମ ରାଜ୍ୟ ଓଡିଶା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଦାବି ହୋଇଥିଲା । ଉତ୍କଳ ଗୌରବ ଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟରେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ। ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକକ ଅଞ୍ଚଳରେ ଗଢି ତୋଳିବାର ସଂକଳ୍ପକୁ ନେଇ ଚାଲିରହିଥିବା ଦୀର୍ଘ ଦିନର ସଂଗ୍ରାମର ଅନ୍ତ ହୁଏ ସେହି ଦିନ। ତେବେ ପ୍ରତି ବର୍ଷ ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧ରୁପାଳିତ ହେଉଥିବା ଉତ୍କଳ ଦିବସ ଓ ଅନୁରୂପ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ଉତ୍କଳ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବାରଣ କରାଯାଇଛି । ସେହିଭଳି ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ଲୋକ ଯୋଗ ଦେଇପାରିବେ । କୋଭିଡ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ଆଦି ବ୍ୟବହାରକୁ କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଉତ୍କଳ ଦିବସ ଅବସରରେ ଆଲୋକ ମାୟା ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର |

Breaking News