Report Card Odisha

| Daily Odia News

୨ରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ଏପ୍ରିଲ ୨ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ। ଏହି ସମୟରେ କଟକ ଓ ଭୁବନେଶ୍ବରରେ ହେବାକୁ ଥିବା ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ଦୁଇ ତାରିଖ ଅପରାହ୍‌ଣରେ କଟକ ସାରଳା ଭବନଠାରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଉତ୍ସବ ଏବଂ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହକୁ ଉଦ୍‌ଘାଟନ କରିବେ। ଏପ୍ରିଲ ୩ ପୂର୍ବାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ଏବଂ ଅପରାହ୍‌ଣରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଉପରାଷ୍ଟ୍ରପତିଙ୍କ ନିକଟକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କ ଆରଟି-ପିସିଆର୍‌ ମଧ୍ୟମରେ କୋଭିଡ୍‌ ପରୀକ୍ଷା କରାଯିବ। ଦୁଇଟି ଯାକ ଉତ୍ସବରେ ମଞ୍ଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ୍‌ ଓ ମଞ୍ଚ ଉପରୁ ପ୍ରମାଣପତ୍ର, ମେଡାଲ ଓ ଡିଗ୍ରି ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଆରଟି-ପିସିଆର୍‌ ଟେଷ୍ଟ କରିବା ଲାଗି ଶ୍ରୀ ମହାପାତ୍ର ଭୁବନେଶ୍ବର ଓ କଟକ ମହାନଗର ନିଗମ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। ସଭାସ୍ଥଳରେ ବସିବାକୁ ଥିବା ସମସ୍ତ ଶ୍ରୋତାଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ ଏବଂ ବସିବା ସମୟରେ ୬ ଫୁଟ୍‌ ଦୂରତ୍ବ ରହିବ। ବିମାନବନ୍ଦର, ଗସ୍ତକାଳ ଓ ରହଣୀ ସମୟରେ ସେବା ଯୋଗାଇବାକୁ ଥିବା ଅଧିକାରୀ, ଗାଡ଼ିଚାଳକ ଓ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା‌ ହେବ। ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦର ଓ ସଭାସ୍ଥଳରେ କୌଣସି ପ୍ରକାର ଫୁଲତୋଡ଼ା କିମ୍ବା ଅନ୍ୟାନ୍ୟ ଉପହାର ସିଧାସଳଖ ନ ଦେବା ଲାଗି ନିଷ୍ପତ୍ତି ହୋଇଛି। ସମସ୍ତ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍‌ ଓ ଏସ୍‌ଓପି ଅନୁଯାୟୀ ଯାତାୟାତ, ସଭା ଆୟୋଜନ, ସ୍ବାସ୍ଥ୍ୟ, ଆମ୍ବୁଲାନ୍ସ ସେବା, ନିରାପତ୍ତା, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଆଗୁଆ ଡ୍ରାଏ ରନ୍‌ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ପୁଲିସ ଆରକ୍ଷୀ ମହାନିରୀକ୍ଷକ ଅଭୟ କୁମାର, ସୂଚନା ଓ ଲୋକସମ୍ପର୍କ ଶାସନ ସଚିବ ସଞ୍ଜୟ ସିଂଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ଅଧିକାରୀମାନେ ସାମିଲ ହୋଇଥିଲେ। କଟକ ଓ ଖୋର୍ଧା ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ।

Breaking News