ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ଯୁଦ୍ଧରେ ହାରିଗଲେ ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ | ଗତକାଲି ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା । ଡକ୍ଟର ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ମେ ୨୯ ତାରିଖରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ଦେବାଶିଷ ଜଣେ ଦକ୍ଷ ପ୍ରଶାସକ ସହ ସୁ ସାହିତ୍ୟିକ ଓ ଦ୍ୱିଭାଷୀ ଲେଖକ ମଧ୍ୟ ଥିଲେ। ୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଦେବାଶିଷ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବଜ୍ଞାନରେ ସ୍ନାତକ ଓ ବାଣୀବିହାରରୁ ପିଜି କରିବା ପରେ ୧୯୯୧ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ। ଚାକିରି ଜୀବନ କାଳରେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍ପି ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି (ଆଧୁନିକୀକରଣ), ଆଇଜି (କାର୍ମିକ), ଏଡିଜି (କାର୍ମିକ) ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ। ପୋଲିସ ବିଭାଗରେ କାର୍ଯ୍ୟ କରିବା ସହିତ ସାହିତ୍ୟରେ ଦେବାଶିଷ ପାଣିଗ୍ରାହୀଙ୍କର ସ୍ୱତନ୍ତ୍ର ରୁଚି ଥିଲା। ସେ ଜଣେ ଭଲ ଦ୍ୱିଭାଷୀ ସାହିତ୍ୟିକ ଥିଲେ। ସେ ଇଂରାଜୀ ଓ ଓଡ଼ିଆରେ ୯ଟି କ୍ଷୁଦ୍ରଗଳ୍ପ ସଂକଳନ, ୭ଟି ଉପନ୍ୟାସ ଓ ଗୀତି କବିତା ରଚନା କରିଛନ୍ତି। ତାଙ୍କର କ୍ଷୁଦ୍ର ଗଳ୍ପକୁ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ଼ରେ ଅନୁବାଦ କରାଯାଇଛି। ୨୦୦୨ରେ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କେବଳ ଏତିକି ନୁହେଁ ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସହ ମିଶି ସେ ଓଡ଼ିଆ ଲିଟରେଚର ଫେଷ୍ଟିଭାଲର ଆରମ୍ଭ କରିଥିଲେ।
More Stories
ବଦଳିଲା ମୋ ସ୍କୁଲ ଅଭିଯାନ ନାଁ…..
ମାଆ କୁ ହତ୍ୟା କଲେ ୨ ପୁଅ……
ମୋର ଶକ୍ତି ୧୦୦ ଗୁଣ ବଢ଼ିଯାଇଛି…..