Report Card Odisha

| Daily Odia News

ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ମଙ୍ଗଳବାର ବେଣୁଗୋପାଳ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଗୃହ ପରିଚାଳନା ନିୟମ ୨୨୩ ଅନୁଯାୟୀ ରାଜନାଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରକ୍ରିୟା ଆଗତ କରିବାକୁ ନିବେଦନ କରିଛନ୍ତି। ପାକିସ୍ତାନ ବିରୋଧୀ ସାମରିକ ଅଭିଯାନ ଅପରେସନ ସିନ୍ଦୂର ସମୟରେ ରାଜନାଥ ଗୃହରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିବାରୁ ଏହି ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରାଯାଇଛି। ଗତବର୍ଷ ସଂସଦରେ ଅପରେସନ ସିନ୍ଦୂର ସମ୍ପର୍କିତ ଆଲୋଚନା​‌େ​‌ବଳେ ରାଜନାଥ କହିଥିଲେ ଯେ ଏହି ସାମରିକ ଅଭିଯାନରେ ଭାରତର କୌଣସି ଯବାନ ସହିଦ ହୋଇ ନାହାନ୍ତି। ମାତ୍ର ନିକଟରେ ସରକାରଙ୍କ ପକ୍ଷରୁ ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୬ ଭାରତୀୟ ଯବାନଙ୍କ ନାମ ଓ ପରିଚୟ ପ୍ରକାଶ କରାଯାଇଥିଲା। ସରକାର ସାର୍ବଜନୀନ କରିଥିବା ତଥ୍ୟ ଅନୁଯାୟୀ ଏହି ଅପରେସନରେ ୬ ଜଣ ସୈନ୍ୟ (୫ ଜଣ ସେନା ଏବଂ ଜଣେ ବାୟୁସେନା କର୍ମଚାରୀ) ସହିଦ ହୋଇଛନ୍ତି। ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଏହି ସହିଦଙ୍କ ନାମ ଖୋଦିତ ହେବା ପରେ ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ସଂସଦରେ ଭୁଲ୍ ତଥ୍ୟ ଦେବା କିମ୍ବା ସୂଚନା ଲୁଚାଇବା ସଂସଦର ଅବମାନନା ଏବଂ ସ୍ୱାଧିକାର ଭଙ୍ଗ ବୋଲି ବେଣୁଗୋପାଳ ଦର୍ଶାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ସୋସିଆଲ ମିଡିଆରେ କିଛି ପୋଷ୍ଟ ରାଜନାଥଙ୍କ ଭାଷଣର ଗୋଟିଏ ଅଂଶକୁ ଭୁଲ୍ ଭାବେ ଉପସ୍ଥାପନ କରୁଛନ୍ତି। ଦେଶ ନିଜ ସହିଦମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଜଣାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୫ ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ ମେ ୭ରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ସହିଦ ଯବାନମାନେ ହେଲେ ସୁବେଦାର ପୱନ କୁମାର, ରାଇଫଲମ୍ୟାନ ସୁନୀଲ କୁମାର (ବୀର ଚକ୍ର), ଲାନ୍ସ ନାଏକ ଦିନେଶ କୁମାର, ଆଭିଏସନ୍‌ ଟେକ୍ନିସିୟାନ ମୁରଲୀ ନାଏକ, ହାବିଲଦାର ସୁନୀଲ କୁମାର ସିଂହ ଓ ବାୟୁସେନାର ସର୍ଜେଣ୍ଟ ସୁରେନ୍ଦ୍ର କୁମାର (ବାୟୁ ମେଡାଲ)।

Breaking News