Report Card Odisha

| Daily Odia News

୨୬ରୁ ଭୋଟ ଗଣତି ଆରମ୍ଭ …..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରିରହିଛି । ମତଦାନ ସରିବା ପରେ ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମଥର ବୁଥସ୍ତରରେ ଭୋଟ ଗଣନା ନ ହୋଇ ବ୍ଲକ କାର୍ଯ୍ୟାଳୟରେ କରାଯାଉଛି। ଫେବୃଆରୀ ୨୬,୨୭ ଓ ୨୮ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ୨୬ ରେ ୩୧୫ ଜୋନ, ୨୭ରେ ୩୦୭ ଜୋନ ଏବଂ ୨୮ରେ ୨୨୯ ଜୋନ ପାଇଁ ଭୋଟ ଗଣତି କରାଯିବ। ସାବଧାନତା ଅବଲମ୍ବନ କରି ଭୋଟ ଗଣତି ଉପରେ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ବ ଦେବା ସହ ଏଥିପାଇଁ ଏକ ନିୟମାବଳି ଜାରି କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟ ଗଣତି କେନ୍ଦ୍ର ନିର୍ଣ୍ଣୟଠାରୁ ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରିବାକୁ ନିର୍ବାଚନ ଆୟୁକ୍ତ ବାରଣ କରିଛନ୍ତି। ରାଜନୈତିକ ଦଳମାନେ ଯଦି ଚାହାନ୍ତି ଷ୍ଟ୍ରଙ୍ଗରୁମ୍‌ର ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗରୁମକୁ ଜଗି ପାରିବେ। ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ଉଚିତ। ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ। ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ। ମତଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ। ଷ୍ଟ୍ରଙ୍ଗ ରୁମ ୨୪ ଘଣ୍ଟିଆ ଚିତ୍ରଉତ୍ତୋଳନ ଯନ୍ତ୍ର(ସିସିଟିଭି) ନଜରରେ ରହିବ। ଷ୍ଟ୍ରଙ୍ଗ ରୁମକୁ ବାଲଟ ବାକ୍ସ ଆସିବାର ଦିନକ ପୂର୍ବରୁ ସିସିଟିଭି ଲାଗିବ ଓ ଭୋଟ ଗଣତି କରି ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ସିସିଟିଭି ଲାଗିବ। ଷ୍ଟ୍ରଙ୍ଗ ରୁମ ବାହାରେ ୨୪ ଘଣ୍ଟିଆ ଦ୍ବିସ୍ତରୀୟ ସୁରକ୍ଷା ରହିବ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ୭୨ ଘଣ୍ଟା ପୂର୍ବରୁ ମତଗଣନା ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଆକାରରେ ଜଣାଯିବ। ଗୋଟିଏ ମତଗଣନା ଟେବୁଲ୍ ପାଇଁ ନିର୍ବାଚନ ଅଧିକାରୀ ଜଣେ ଗଣତି ସୁପରଭାଇଜର, ଦୁଇଜଣ ସହକାରୀ ଗଣତି ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିୟୋଜିତ କରିବେ। ଗଣତି ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତ କରିପାରିବେ। ଜିଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଗ୍ରାମପଞ୍ଚାୟତ ସଂଖ୍ୟା ଅନୁସାରେ ଏଜେଣ୍ଟ ନିଯୁକ୍ତ କରିବେ। ମତଗଣନାରେ ନିୟୋଜିତ ଥିବା କର୍ମଚାରୀ ଧାର୍ଯ୍ୟ ସମୟର ୧୫ ମିନିଟ ପୂର୍ବରୁ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ। ମତଗଣନା ସଂପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ସମସ୍ତ ଜିଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

 

Breaking News