ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗ ନିର୍ବାଚନ ବିବାଦ ଏବେବି ତୁଟିନି | ନନ୍ଦିଗ୍ରାମ ବିଧାନସଭା ଆସନରେ ବିଜେପି ନେତା ଶୁଭେନ୍ଦୁ ଅଧିକାରଙ୍କ ବିଜୟକୁ ଚ୍ୟାଲେଞ୍ଜକରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ମମତାଙ୍କ ଦ୍ଵାରା ଦାଖଲ ଯାଚିକା ଉପରେ ହାଇକୋର୍ଟ ଅଗଷ୍ଟ ୧୨ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ବୁଧବାର ଅପରାହ୍ନ ୨ଟା୩୦ରେ ମାମଲାରେ ଶୁଣାଣି ହେବାର ଥିଲା। ବିଚାରପତି କୌଶିକ ଚନ୍ଦ ତୃଣମୂଳ କଂଗ୍ରେସର ସୁପ୍ରିମୋଙ୍କ ଦ୍ଵାରା ଦାଖଲ ଆବେଦନର ଶୁଣାଣିରୁ ନିଜେ ଓହରି ଯାଇଛନ୍ତି। ଏହା ପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ମାମଲାର ଶୁଣାଣି ଦାୟିତ୍ଵ ବିଚାରପତି ଶମ୍ପା ସରକାରଙ୍କ ପୀଠକୁ ହସ୍ତାନ୍ତର କରିଛନ୍ତି। ବିଚାରପତି କୌଶିକ ଚନ୍ଦ ଏହି ମାମଲାର ଶୁଣାଣିରୁ ଜୁଲାଇ ୭ରେ ନିଜକୁ ଅଲଗା କରି ଦେଇଥିଲେ। ମାମଲାର ଶୁଣାଣିରୁ ତାଙ୍କୁ ହଟାଇବାକୁ ଦାବି କରିଥିବା ମମତାଙ୍କ ଉପରେ ବିଚାରପତି କୌଶିକ ପାଞ୍ଚ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ସୂଚନା ଅନୁସାରେ-ମମତା ଅଭିଯୋଗ କରିଥିଲେ ଯେ, ନନ୍ଦିଗ୍ରାମ ନିର୍ବାଚନରେ ଇଭିଏମ ହ୍ୟାକ୍ କରାଯାଇଛି। ନିର୍ବାଚନ ଅଧିକାରୀ ବିଜେପିର ଏଜେଣ୍ଟ ପରି କାମ କରିଛନ୍ତି। ଫଳାଫଳକୁ ସେ ଅଦାଲତରେ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ଅଛନ୍ତି।
Discussion about this post