ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟର ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ କୁଆପଥର ମାଡ଼ ସହିତ ବିଜୁଳି ଘଡଘଡ଼ି, ବର୍ଷା ପବନ ହୋଇଥିଲା| ପଶ୍ଚିମାଝଡ଼ ବର୍ଷ ଚାଷଜମି ନଷ୍ଟ କରିବା ସହ ଅନେକ ଜୀବନ ନେଇଛି | ଗୋଟିଏ ପଶ୍ଚିମାଝଡ଼ ପ୍ରଭାବ ନ ଯାଉଣୁ ପୁଣି ଆସନ୍ତା ୨୩ ତାରିଖ ବେଳକୁ ଆସୁଛି ଆଉ ଏକ ପଶ୍ଚିମାଝଡ଼। ଏହି ପଶ୍ଚିମାଝଡ଼ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ରାଜ୍ୟ ଉପରେ ପଡିବ କି ନାହିଁ ସେ ସମ୍ବନ୍ଧରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ପାଣିପାଗ କେନ୍ଦ୍ରର ସନ୍ଧ୍ୟା ୬ଟା ବୁଲେଟିନ ବିବରଣୀ ଅନୁଯାୟୀ, ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୯.୨ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁର ୧୨.୨ ମିମି, କଟକ ୧୧.୨ମିମି, ଭବାନୀପାଟଣା ୧୨.୨ମିମି, ଖୋର୍ଦ୍ଧା ୧୫ମିମି, ଜଗତସିଂହପୁର ୧୦ମିମି, କେନ୍ଦ୍ରାପଡା ଏବଂ ୧୦.୪ମିମି ବର୍ଷା ହୋଇଛି। ଏଥିସହିତ ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, ଅନୁଗୋଳ, ପୁରୀ, ଝାରସୁଗୁଡା, ସମ୍ବଲପୁର, ଫୁଲବାଣୀ, ଛତ୍ରପୁର ଆଦି ଅଞ୍ଚଳ ଗୁଡ଼ିକରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି, ଗଞ୍ଜାମ, କଳାହାଣ୍ଡି ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ସପ୍ତାହ ହେଲା ପାଗ ମେଘୁଆ ରହୁଥିବା ବେଳେ ଏଣିକି ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି, ୨୩ରେ ଆସୁଥିବା ପଶ୍ଚିମାଝଡ଼ ପ୍ରଭାବ ଓଡ଼ିଶା ଉପରେ ପଡିବ କି ନାହିଁ ତାହା ଏବେଠାରୁ ସଠିକ ଆକଳନ କରାଯାଇ ପାରୁନାହିଁ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..